ବର୍ଷକ ଭିତରେ ଡକାଡକି ହୋଇଗଲେ ଚାଲିଗଲେ ବାପା ମାଆ: ଏବେ କେମିତି ବଞ୍ଚିବେ ୩ ଅନାଥ ଭାଇ-ଭଉଣୀ 

874

କନକ ବ୍ୟୁରୋ: ଦୁଃଖ ବି ଏମିତି ଆସେ । କଅଁଳ ବୟସରେ ତିନି ପିଲାଙ୍କୁ ଅନାଥ କରିଦେଇଛି ସମୟ । ଜୀବନ କଣ ଜାଣିବା ପୂର୍ବରୁ ଦଣ୍ଡ ଭୋଗୁଛନ୍ତି ତିନି ଭାଇ ଭଉଣୀ । ବର୍ଷେ ଭିତରେ ଡକା ଡକି ହୋଇ ଚାଲିଗଲେ ବାପା-ମାଆ । ବାପା-ମାଆ ଦୁହେଁ ଆଖି ବୁଝି ଦେବା ପରେ ସଂପୂର୍ଣ୍ଣ ଅନାଥ ହୋଇଯାଇଛନ୍ତି ଭାଇ-ଭଉଣୀ ତିନି ଜଣ ।

ଏମାନେ ହେଉଛନ୍ତି ଯାଜପୁର ଦାନଗଦି ବ୍ଲକର ଓସ୍ତପାଳ ଗାଁର ସ୍ୱର୍ଗତ ପ୍ରମୋଦ ନାଥ ଓ ସ୍ୱର୍ଗତ ସୁଜାତା ନାଥ । ୨ ଝିଅ ଓ ୧ ପୁଅକୁ ନେଇ ହସ ଖୁସିରେ ଚାଲିଥିଲା ସଂସାର । ବାପା ଡ୍ରାଇଭର ଭାବେ କାମ କରି ଯାହା ରୋଜଗାର କରୁଥିଲେ, ସେଥିରେ ପିଲାମାନେ ଖାଇପିଇ ପାଠ ପଢୁଥିଲେ । କିନ୍ତୁ ନିୟତିର ନିର୍ଦ୍ଦେଶ କିଛି ଅଲଗା ଥିଲା । ଗୋଟିଏ ବର୍ଷରେ ସବୁ ଓଲଟପାଲଟ ହୋଇଗଲା । ଗତବର୍ଷ ମେ ମାସରେ ଦୁର୍ଘଟଣାରେ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ  ଗତ ୧ ତାରିଖରେ ମାଆଙ୍କୁ କୋଳେଇ ନେଇଛି ମୃତ୍ୟୁ । ବାପା-ମାଆଙ୍କ ଅନ୍ତେ ସାନ ଭଉଣୀ ଓ ଭାଇର ଦାୟିତ୍ୱ ସମ୍ଭାଳୁଛି ବଡ ଭଉଣୀ ଇତିଶ୍ରୀ ।

ରୋଷେଇ କରି ଭାଇ ଭଉଣୀଙ୍କୁ ଖାଇବାକୁ ଦେବା ସହ ସମ୍ଭାଳିବାକୁ ଚେଷ୍ଟା କରୁଛି । ହେଲେ ଗତ ୧ ତାରିଖରେ ମାଆ ମୁହଁରେ ମୁଖାଗ୍ନୀ ଦେଇ ଆସିଥିବା ୮ ବର୍ଷର କୁନି ପୁଅ ସାଇ ସତ୍ୟଜିତ୍ କିଛି ଜାଣିପାରୁନି । କେତେବେଳେ ଖେଳିବାକୁ ଯିବାକୁ ଜିଦ୍ କରୁଛି, ପୁଣି କେତେବେଳେ ବଡ ଭଉଣୀ ପାଖରେ ମାଆ ଭଳି ଅଝଟ କରୁଉଛି । ଯେଉଁ ପରିସ୍ଥିତିକୁ ସମ୍ଭାଳିବା ଇତିଶ୍ରୀଙ୍କ ପାଇଁ ସମ୍ଭବ ହେଉନାହିଁ ।

ଏବେ ସ।।ଇ ପଡିଶାଙ୍କ ହାତ ଟେକାରେ ଅନାଥ ୩ ଭାଇ-ଭଉଣୀଙ୍କ ପେଟ ପୁରୁଛି । ହେଲେ ଆଗକୁ ଏମାନେ ଖାଇବେ କଣ ଓ କେମିତି ପାଠ ପଢିବେ ସେ କଥା ଅହରହ ଚିନ୍ତା କରୁିଛନ୍ତି । ସାନ ଭଉଣୀ ସ୍ମୃତିରେଖା କିଛିଦିନ ପୂର୍ବରୁ ହାର୍ଟ ଅପରେସନ ହୋଇ ସୁସ୍ଥ ହୋଇଛନ୍ତି । ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷାରେ ସେ ୭୪ % ମାର୍କ ରଖି ଉତୀର୍ଣ୍ଣ ହୋଇଛନ୍ତି । ଇତିଶ୍ରୀ ଏବର୍ଷ ଯୁକ୍ତ ୨ ଫାଇନାଲ ପରୀକ୍ଷା ଦେବେ । ସାନ ଭାଇ ଚତୁର୍ଥରେ ପଢୁଥିହା ବେଳେ ଆଗକୁ ପାଠ ପଢିବାର ଇଛା ଅଛି, ହେଲେ ଦାରିଦ୍ରତା ସେମାନଙ୍କ ପାଇଁ ପାଚେରୀ ହୋଇ ଠିଆ ହୋଇଛି ।