ରାଜନୀତିରେ ରାଜ୍ୟସ୍ତରୀୟ ବନ ମହୋତ୍ସବ । ସରକାରୀ କାର୍ଯ୍ୟକ୍ରମକୁ ଡକାନଯିବାରୁ ବର୍ଷିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ।

133

କନକ ବ୍ୟୁରୋ: କାର୍ଯ୍ୟକ୍ରମରେ ନିମନ୍ତ୍ରଣ ନ କରାଯିବାରୁ ରାଗିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ରାଜ୍ୟସ୍ତରୀୟ ବନ ମହୋତ୍ସବକକୁ ନିମନ୍ତ୍ରଣ କରାନଯିବାକୁ ନେଇ ମୁହାଁମୁହିଁ ହୋଇଛନ୍ତି ସାଂସଦ ଅପରାଜିତା ଓ ମନ୍ତ୍ରୀ ଅଶୋକ ପଣ୍ଡା । ଅପରାଜିତା କହିଛନ୍ତି, ସ୍ଥାନୀୟ ସାଂସଦ ଓ କର୍ପୋରେଟରଙ୍କୁ ନିମନ୍ତ୍ରଣ ନକରିବା ଦୁର୍ଭାଗ୍ୟଜନକ ।

ଭୁବନେଶ୍ୱରରେ ଆୟୋଜିତ ରାଜ୍ୟସ୍ତରୀୟ ବନ ମହୋତ୍ସବ ମଞ୍ଚ ଉପରେ ଥିଲେ ଜଙ୍ଗଲ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ, ବିଜ୍ଞାନ ପ୍ରଯୁକ୍ତି ମନ୍ତ୍ରୀ ଅଶୋକ ପଣ୍ଡା, ଭୁବନେଶ୍ୱରର ଅନ୍ୟ ଦୁଇ ବିଧାୟକ । ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସ ମଧ୍ୟ ଉପସ୍ଥିତ ଅଛନ୍ତି । ହେଲେ, ଏହି ଉତ୍ସବରେ ନଥିଲେ ସ୍ଥାନୀୟ ସାଂସଦ ଅପରାଜିତା ଷଡଙ୍ଗୀ ଓ ସ୍ଥାନୀୟ କର୍ପୋରେଟର । ଯାହାକୁ ନେଇ ଉତ୍ସବ ଆୟୋଜନ ସ୍ଥଳରେ ବିକ୍ଷୋଭ ଓ ପ୍ରତିବାଦ ଦେଖିବାକୁ ମିଳିଛି ।

  • ନିମନ୍ତ୍ରଣକୁ ନେଇ ମୁହାଁମୁହିଁ
  • ଅପରାଜିତା ବନାମ ବିଜେଡି

ରାଜ୍ୟସ୍ତରୀୟ ବନ ମହୋତ୍ସବକୁ ନିମନ୍ତ୍ରଣ କରାନଯିବାକୁ ନେଇ ମୁହାଁମୁହିଁ ହୋଇଛନ୍ତି ସାଂସଦ ଅପରାଜିତା ଓ ମନ୍ତ୍ରୀ ଅଶୋକ ପଣ୍ଡା । ଅପରାଜିତା କହିଛନ୍ତି, ସ୍ଥାନୀୟ ସାଂସଦ ଓ କର୍ପୋରେଟରଙ୍କୁ ନିମନ୍ତ୍ରଣ ନକରିବା ଦୁର୍ଭାଗ୍ୟଜନକ । ରାଜ୍ୟ ସରକାର ଡରୁଛନ୍ତି ଓ ସଂକୀର୍ଣ୍ଣ ମାନସିକତାର ପରିଚୟ ଦେଉଛନ୍ତି । ଅପରାଜିତାଙ୍କ ଆକ୍ଷେପ ଉପରେ ଜବାବ ରଖିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । କହିଛନ୍ତି, କଳିଙ୍ଗ ନଗର କେନ୍ଦ୍ରୀୟ ବିଦ୍ୟାଳୟ ସମୟରେ ମଧ୍ୟ ତାଙ୍କୁ ଡକାଯାଇନଥିଲା କି ନିମନ୍ତ୍ରଣ କାର୍ଡ ଦିଆଯାଇନଥିଲା । କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ମୁଖ୍ୟମନ୍ତ୍ରୀ କୋଟିଏ ପଚିଶ ଲକ୍ଷ ଟଙ୍କା ଦେବା ସହ ଜାଗା ଦେଇଥିଲେ । ସେତେବେଳେ ତାଙ୍କୁ କିମ୍ବା ସ୍ଥାନୀୟ କର୍ପୋରେଟରଙ୍କୁ ଡକାଯାଇନଥିଲା ।

ବନ ମହୋତ୍ସବକୁ ତାଙ୍କୁ ନିମନ୍ତ୍ରଣ କରାଯାଇନଥିବାରୁ ବୁଧବାର ବିଳମ୍ବିତ ରାତିରେ ଟୁଇଟ୍ କରି ଅପରାଜିତା କ୍ଷୋଭ ପ୍ରକାଶ କରିଥିଲେ । ନିମନ୍ତ୍ରଣ କରାଯାଇନଥିଲେ ବି କାର୍ଯ୍ୟକ୍ରମକୁ ଯିବେ ବୋଲି କହିଥିଲେ କିନ୍ତୁ କାର୍ଯ୍ୟକ୍ରମକୁ ଯାଇନଥିଲେ ଅପରାଜିତା । ଅନ୍ୟପଟେ ବିଜେଡିର ଭୁବନେଶ୍ୱରର ତିନି ବିଧାୟକ ନିଜ ଶକ୍ତିି ପ୍ରଦର୍ଶନ କରିଥିଲେ । ନିଜ ସମର୍ଥକମାନଙ୍କ ସହିତ ବିରାଟ ପଟୁଆରରେ କାର୍ଯ୍ୟକ୍ରମକୁ ଆସିଥିଲେ ।

ପୂର୍ବରୁ ରାଜଧାନୀ ପ୍ରତିଷ୍ଠା ଦିବସ କାଯ୍ୟକ୍ରମରେ ମଧ୍ୟ ଅପରାଜିତାଙ୍କୁ ଡକାଯାଇନଥିଲା । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ଏବେ ତାହାର ପୁନରାବୃତି କାହିିଁକି ହେଲା ବୋଲି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରି ଚିଠି ଲେଖିବେ ବୋଲି କହିଛନ୍ତି ଅପରାଜିତା ।