ପୌରାଧ୍ୟକ୍ଷାଙ୍କ ରୌଦ୍ରରୂପ ଅଧିକାରୀଙ୍କୁ ଗାଳି ଦେଲେ, ଫାଇଲ୍ ଫିଙ୍ଗିଲେ। ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଭିଡିଓ।

109

କନକ ବ୍ୟୁରୋ: ଭାଇରାଲ୍ ହେଉଥିବା ଏହି ଭିଡିଓକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା । ମୋବାଇଲ୍ ଟାୱାର ପାଇଁ ପୌର ନିର୍ବାହୀ ଅଧିକାରୀଙ୍କ ଅନୁମତି ନେଇ ଉତକ୍ଷିପ୍ତ ହୋଇ ଉଠିଥିଲେ ବ୍ୟାସନଗର ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ । ରାଗ ତାଙ୍କର ପଞ୍ଚମକୁ ଉଠିଯାଇଥିଲା । ଗାଳି ଦେବା ସହ ନିର୍ବାହୀ ଅଧିକାରୀ ଅଶୋକ ରାଉତଙ୍କ ଉପରକୁ ଫାଇଲ୍ ଫିଙ୍ଗିଥିଲେ । ତୁରନ୍ତ ଏନଓସି ବାତିଲ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ ପୌରାଧ୍ୟକ୍ଷା ।

ବ୍ୟାସନଗର ପୌରପାଳିକା କାର୍ଯ୍ୟାଳୟରେ ଆଲୋଚନା ଚାଲିଥିବା ବେଳେ ପୌରାଧ୍ୟକ୍ଷାଙ୍କ ଏପରି ରୂପ ଦେଖି ସମସ୍ତେ ନିରବ ହୋଇ ଯାଇଥିଲେ । ପୌରଧ୍ୟକ୍ଷାଙ୍କ ଅଶାଳୀନ ବ୍ୟବହାର ଓ ଫାଇଲ ଫୋପାଡିବା ଚିତ୍ର ସୋସିଆଲ୍ ମିଡିଆରେ ଭାଇରାଲ ହେବା ପରେ ସାମନାକୁ ଆସିଥିଲା ପୂରା ଘଟଣା । ନିର୍ବାହୀ ଅଧିକାରୀ ଅଶୋକ ରାଉତ ଅଭିଯୋଗ କରିଛନ୍ତି, ତାଙ୍କ ଛାତି ଉପରକୁ ଲକ୍ଷ୍ୟ କରି ଫାଇଲ ଫିଙ୍ଗିଥିଲେ ପୌରାଧ୍ୟକ୍ଷା । ଅନେକ ଥର ତାଙ୍କ ସହ ଏପରି ଦୁର୍ବ୍ୟବହାର କରିଥାନ୍ତି ସଙ୍ଗୀତା ପିଙ୍ଗୁଆ । କିନ୍ତୁ ପୌରାଧ୍ୟକ୍ଷା କହିଛନ୍ତି, ମୋବାଇଲ୍ ଟାୱାରକୁ ଅନେକ ଲୋକ ବିରୋଧ କରୁଥିବାରୁ ଅନୁମତି ଦିଆଯାଇଥିବା ଜାଣି ସେ କ୍ଷୁବ୍ଧ ହୋଇଥିଲେ । ସେ ଫାଇଲ୍ ଫିଙ୍ଗିନାହାନ୍ତି, ଏନଓସିକୁ ବାତିଲ କରିବା ପାଇଁ ଫାଇଲ୍ ଫେରାଇ ଦେଇଥିଲେ ।

ନିର୍ବାହୀ ଅଧିକାରୀଙ୍କ କହିବା କଥା ୮ନମ୍ବର ୱାର୍ଡରେ ମୋବାଇଲ୍ ଟାୱାର ସ୍ଥାପନ ପାଇଁ ୱାର୍ଡବାସୀ ଅନୁରୋଧ କରିଥିଲେ । ଅନୁମତି ପାଇଁ କାଉନସିଲର ମଧ୍ୟ ଦସ୍ତଖତ କରିଥିଲେ । ଏପଟେ ପୌରଧ୍ୟକ୍ଷା କହିଛନ୍ତି, ମୋବାଇଲ୍ ଟାୱାରକୁ ସ୍ଥାନୀୟ ଲୋକ ବିରୋଧ କରୁଥିଲେ । ଫିଲ୍ଡ ଭେରିଫିକସନ୍ ପରେ ଏଠାରେ ମୋବାଇଲ୍ ଟାୱାର କରିବାକୁ ମନା କରାଯାଇଥିଲା । ଏହାସତ୍ୱେ ଏନଓସି ଦେଇଥିଲେ ନିର୍ବାହୀ ଅଧିକାରୀ । ଏହାରି ଭିତରେ ନିର୍ବାହୀ ଅଧିକାରୀ ଅଶୋକ ରାଉତଙ୍କୁ ବଦଳି କରାଯାଇଛି । ତେବେ ଭାଇରାଲ ହୋଇଥିବା ଏହି ଭିଡିଓକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି ।