ପଦ୍ମପୁରକୁ ଜିଲ୍ଲା ମାନ୍ୟତା ! ‘ପ୍ରତିଶ୍ରୁତି ଦେଲେ ନବୀନ’ ବିଜେପିର କଟାକ୍ଷ ‘ଉପନିର୍ବାଚନକୁ ଦେଖି ମୁଖ୍ୟମନ୍ତ୍ରୀଙ୍କ ନିଦ ଭାଙ୍ଗିଛି । 

187

କନକ ବ୍ୟୁରୋ: ଓଡିଶାର ଜିଲ୍ଲା ସଂଖ୍ୟା ତାଲିକାରେ ଯୋଡି ହେବ ଆଉ ଏକ ଜିଲ୍ଲା  । ପଦ୍ମପୁର ଉପଖଣ୍ଡ ହେବ ଓଡିଶାର ୩୧ତମ ଜିଲ୍ଲା । ଅର୍ଥାତ ରାଜ୍ୟର ଜିଲ୍ଲା ସଂଖ୍ୟା ୩୦ରୁ ବୃଦ୍ଧି ପାଇ ୩୧ରେ ପହଁଚିବ  । ଉପନିର୍ବାଚନରେ ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି ପ୍ରମୁଖ ପ୍ରସଙ୍ଗ ପାଲଟିଥିବାବେଳେ, ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବା ପରେ ଏହି ସୂଚନା ଦେଇଛନ୍ତି କ୍ରିୟାନୁଷ୍ଠାନ କମିଟିର ସଦସ୍ୟ । ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବିରେ ଆନ୍ଦୋଳନ ଚାଲି ଥିବାବେଳେ, ଭୁବନେଶ୍ୱରରେ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିଥିଲେ କ୍ରିୟାନୁଷ୍ଠାନ କମିଟି ସଦସ୍ୟ । ନବୀନଙ୍କ ସହ ବୈଠକ ପରେ କ୍ରିୟାନୁଷ୍ଠାନ କମିଟିର ଆବାହକ କହିଛନ୍ତି, ଆଲୋଚନା ସଫଳ ହୋଇଛି ।  ‘ପଦ୍ମପୁରକୁ ଜିଲ୍ଳା ମାନ୍ୟତା ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି’ । ‘ଆଚରଣ ବିଧି ଲାଗୁ ହୋଇଥିବାରୁ ବର୍ତ୍ତମାନ ଘୋଷଣା ହୋଇପାରୁନି’ ।

ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି ନେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ନେତୃତ୍ୱରେ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ବିଧାୟକ ସୁଶାନ୍ତ ସିଂ ମଧ୍ୟ ଆଲୋଚନା ସମୟରେ ଉପସ୍ଥିତ ଥିଲେ । ଆଲୋଚନା ପରେ ନିରଞ୍ଜନ ପୂଜାରୀ କହିଛନ୍ତି, କ୍ରିୟାନୁଷ୍ଠାନ କମିଟିକୁ ମୁଖ୍ୟମନ୍ତ୍ରୀ ଆଲୋଚନା ପାଇଁ ଆମନ୍ତ୍ରଣ କରିଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କ ସହ  ଆଲୋଚନା କରିଛନ୍ତି । ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ଘୋଷଣା କରିବା ପାଇଁ ବିଜେଡି ପ୍ରତିଶ୍ରୁତିବଦ୍ଧ । ବିଜେଡିର ଉପନିର୍ବାଚନ ଇସ୍ତାହାରରେ ଏହାକୁ ପ୍ରକାଶ କରାଯିବ ।

ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେବା ପରେ କଟାକ୍ଷ କରିଛି ବିଜେପି । ବିଜେପି ନେତା କହିଛନ୍ତିି, ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବାକୁ ପ୍ରଦୀପ ପୁରୋହିତ ୨୦୧୮ରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ବିଧାନସଭାରେ ଦାବି ଉଠାଇଥିଲେ, କିନ୍ତୁ ତକ୍ରାଳିନ ମନ୍ତ୍ରୀ କହିଥିଲେ ସେମିତି କୌଣସି ପ୍ରସ୍ତାବ ନାହିଁ । ନିର୍ବାଚନ ଜିତିବା ପାଇଁ ମିଛ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଦୀର୍ଘ ବର୍ଷ ହେବ ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦେବାକୁ ଦାବି କରି ଆସୁଛନ୍ତି ପଦ୍ମପୁରବାସୀ । ଜିଲ୍ଳା ମାନ୍ୟତା ଦେବାକୁ ପୂର୍ବରୁ ପ୍ରତିଶ୍ରୁତି ବି ମିଳିଛି । ହେଲେ, ଏବେ ନବୀନ ଦେଇଥିବା ପ୍ରତିଶ୍ରୁତି ପାଳନ ହେବ ନା ପୁଣି ଅପେକ୍ଷା କରିବା ପାଇଁ ପଡିବ ପଦ୍ମପୁରବାସୀଙ୍କୁ ।