ଜଗନ୍ନାଥଙ୍କ ଚୁଲି ଭାଙ୍ଗିଲା କିଏ ? ଭକ୍ତଙ୍କ ଭାବାବେଗ ସହ ଖେଳ, ଶ୍ରୀମନ୍ଦିର ସୁରକ୍ଷା ଉପରେ ଲାଗିଲା ପ୍ରଶ୍ନଚିହ୍ନ ।

286

କନକ ବ୍ୟୁରୋ : ଜଗନ୍ନାଥଙ୍କ କୋଟି କୋଟି ଭକ୍ତଙ୍କ ଭାବନା ସହ ଖେଳାଯାଇଛି ଖେଳ । ଶ୍ରୀମନ୍ଦିର ରୋଷଘରେ ଅଭାବନୀୟ ଘଟଣା ଘଟିଛି । ଯେଉଁ ରୋଷଘରକୁ ସବୁଠୁ ବଡ଼ ରୋଷଶାଳା ବୋଲି କୁହାଯାଏ, ସେହି ରୋଷଘରେ ପଶି ୮୦ରୁ ଅଧିକ ଚୁଲିକୁ ଶାବଳରେ ତାଡ଼ି ଦେଇଛନ୍ତି ଦୁର୍ବୃତ । ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏଥିଯୋଗୁଁ ଶ୍ରୀମନ୍ଦିରରେ ନୀତି ବିଳମ୍ବ ହେବା ସହ ଭକ୍ତ ମହାପ୍ରସାଦ ପାଇବାରେ ବିଳମ୍ବ ହୋଇଥିଲା । ପ୍ରଶ୍ନ ଉଠୁଛି, ଜଗନ୍ନାଥଙ୍କ ଚୁଲି ଭାଙ୍ଗିଲା କିଏ ?

ଶ୍ରୀମନ୍ଦିର ଇତିହାସରେ ଏପରି ଅଭାବନୀୟ ଘଟଣା ଘଟିଛି, ଯାହା ପୂର୍ବରୁ କେବେ ଦେଖା ଯାଇନଥିଲା । କୋଟି କୋଟି ଭକ୍ତଙ୍କ ଭାବନା ସହ ଏପରି ଖେଳ ବୋଧହୁଏ କେବେ ହୋଇନଥିଲା । ରୋଷଘରର ୮୦ରୁ ଅଧିକ ଚୁଲି ଭାଙ୍ଗିଦେଲେ ଦୁର୍ବୃତ୍ତ । କୋଠ ଭୋଗ ଚୁଲିର ୮୦ ପ୍ରତିଶତ ନଷ୍ଟ । ବଡ଼ଠାକୁରଙ୍କ ଭୋଗ ଓ ମହାପ୍ରସାଦକୁ ନେଇ କୋଟି କୋଟି ଭକ୍ତଙ୍କ ଭାବାବେଗ ଯୋଡ଼ି ହୋଇରହିଛି । ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ ଓ ମହାପ୍ରସାଦ ପାଇଁ ପୁରୀକୁ ଆସିଥାନ୍ତି । ଯେଉଁ ରୋଷଘରକୁ ସବୁଠୁ ବଡ଼ ରୋଷଶାଳା ବୋଲି କୁହାଯାଏ, ସେହି ରୋଷଘରେ ପଶି ୮୦ରୁ ଅଧିକ ଚୁଲିକୁ ଶାବଳରେ ତାଡ଼ି ଦେଇଛନ୍ତି ଦୁର୍ବୃତ୍ତ ।

ବଡ଼ସିଂହାର ବେଶ ସରିବା ପରେ ରାତି ପହୁଡ଼ ପଡ଼ିଥିଲା । ଆଉ ତା’ପରେ ଶ୍ରୀମନ୍ଦିର ରୋଷଘରେ ଘଟିଛି ଏହି ଅଭାବନୀୟ କାଣ୍ଡ । ରୋଷଘରେ ପଶି ଶାବଳ ସାହାଯ୍ୟରେ ସପ୍ତପୁରୀ ଚୁଲି, ଏମାର ମଠ ଚୁଲି, ଉତ୍ତରପାଶ୍ୱର୍ ମଠ ଚୁଲି, ବଡ଼ ଓଡ଼ିଆ ମଠ ଚୁଲି, ସାତପୁରୀ ରୋଷ, ପିଠାପୁରୀ ରୋଷ, ତାଡ଼ ପୁରୀ ରୋଷ ଚୁଲି ଭାଙ୍ଗି ଦେଇଛନ୍ତି ଦୁର୍ବୃତ୍ତ । ଏପରିକି କୋଠ ଭୋଗ ଚୁଲିର ୮୦ ପ୍ରତିଶତ ଭାଙ୍ଗି ଦେଇଛନ୍ତି ।

କିଏ ଭାଙ୍ଗିଲା ଜଗନ୍ନାଥଙ୍କ ଚୁଲି ?
ଶ୍ରୀମନ୍ଦିର ରେକର୍ଡରେ ମୋଟ ୨୪୨ ଚୁଲି ପଞ୍ଜିକୃତ
୧୮୯ ଚୂଲି କାର୍ଯ୍ୟକ୍ଷମ ରହିଥିଲା
୮୦ରୁ ଅଧିକ ଚୁଲି ଭାଙ୍ଗି ଦିଆଯାଇଥିବା ଅଭିଯୋଗ
ରାତିରେ ଏ ନେଇ ସୁଆର ମହାସୁଆର ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇବା ପରେ ଏହି ଘଟଣା ସାମ୍ନାକୁ ଆସିଛି ।

ଏହା ଯୋଗୁଁ ନୀତି ବିଳମ୍ବ ହେବା ସହ ଭକ୍ତମାନେ ମହାପ୍ରସାଦ ପାଇବାରେ ସମସ୍ୟା ସୃଷ୍ଟି ହୋଇଥିଲା । ତେବେ କିଛି ଭଙ୍ଗା ଚୁଲିକୁ ମରାମତି କରି ମହାପ୍ରଭୁଙ୍କ ରୋଷ ପ୍ରସ୍ତୁତ କରାଯାଇଛି । ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଏହାକୁ ଗୁରୁତର ସହ ନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କନୱର ବିଶାଳ ସିଂ ଶ୍ରୀମନ୍ଦିର ଯାଇ ଅନୁଧ୍ୟାନ କରିଛନ୍ତି । ଶ୍ରୀମନ୍ଦିର ନୀତି ପ୍ରଶାସକ ଓ ସୁରକ୍ଷା ପ୍ରଶାସକଙ୍କୁ ନେଇ ଗଠିତ ଟିମ୍ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଶ୍ରୀମନ୍ଦିର ସୁରକ୍ଷାକୁ କଡ଼ାକଡ଼ି କରିବାକୁ ଦାବି କରିଛନ୍ତି ବରିଷ୍ଠ ସେବାୟତ ।

ତେବେ ଏହି ଘଟଣା ପରେ ଅନେକ ପ୍ରଶ୍ନ ସାମ୍ନାକୁ ଆସୁଛି…
ଜଗନ୍ନାଥଙ୍କ ଚୁଲି ଭାଙ୍ଗିଲା କିଏ ?
ବାହାରୁ ଦୁର୍ବୃତ୍ତ ପଶିଲେ ନା ଅନ୍ତଦ୍ୱର୍ନ୍ଦ୍ୱ କାରଣରୁ ଭଙ୍ଗାରୁଜା ?
ବ୍ୟବସାୟିକ ଶତ୍ରୁତା, ମାଲିକାନା ବିବାଦ ପାଇଁ ଏଭଳି ଘଟିଛି କି ?
କୃଷ୍ଣ ପ୍ରତିହାରୀଙ୍କ ହତ୍ୟାକାଣ୍ଡ ସହ ଘଟଣାର ସମ୍ପର୍କ ଅଛି କି ?
ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଢିଲା ପଡ଼ିଯାଇଛି କି ?

ଏସବୁ ପ୍ରଶ୍ନର ଉତ୍ତର ମିଳିବା ନିହାତି ଆବଶ୍ୟକ ନଚେତ ଶ୍ରୀମନ୍ଦିରରେ ଆଗକୁ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିପାରେ ।