ପୁଣି କୋଟିଆରେ ଆନ୍ଧ୍ରପ୍ରଦେଶର ମନମାନି: ଜଳ ବିଦ୍ୟୁତ ପ୍ରକଳ୍ପ ପାଇଁ ଅଧିକାରୀ ସର୍ଭେ କରୁଥିବା ବେଳେ କଡ଼ା ଜବାବ ଦେଲେ ଜନପ୍ରତିନିଧି

58

କନକ ବ୍ୟୁରୋ: ପୁଣି ଅପମାନିତ ହୋଇ ଫେରିଲେ ଆନ୍ଧ୍ର ଅଧିକାରୀ । ସଫଳ ହୋଇପାରିଲା ନାହିଁ ପଡୋଶୀ ରାଜ୍ୟର ପ୍ଳାନ । ରାସ୍ତା ରୋକିଲେ କୋରାପସ୍ୱଙ୍କ ଜନ ପ୍ରତିନିଧି । ଅବାକ ହୋଇ ରହିଗଲେ ଆନ୍ଧ୍ର ଅଧିକାରୀଙ୍କ ସାଥିରେ ଆସିଥିବା ନାମି କମ୍ପାନି ମାଲିକ । କୋରାପୁଟ ବିଧାୟକଙ୍କ କଡ଼ା ତାଗିତ ପରେ ଗଳା ବାଟ ଦେଇ ଫେରି ଯାଇଛନ୍ତି ଆନ୍ଧ୍ର ଅଧିକାରୀ ।

ପୁଣି କୋଟିଆରେ ପ୍ରବେଶ କରିବାକୁ ପ୍ରୟାସ କରୁଛି ଆନ୍ଧ୍ର ପ୍ରଦେଶ । କୋର୍ଟରେ ମାମଲା ବିଚାରଧିନ ଥିବା ବେଳେ କୋଟିଆର ନାରିଡ଼ିବାଲସାରେ ପହଂଚି ସର୍ଭେ ଆରମ୍ଭ କରିଛନ୍ତି ଆନ୍ଧ୍ର ଅଧିକାରୀ । ସାଥିରେ ଆଦାନୀ, ଟିସିଏସ ଓ ଚାୱାଲ ଗ୍ରୁପର ଅଧିକାରୀଙ୍କୁ ଧରି କୋଟିଆ ଆସିଥିବା ଆନ୍ଧ୍ର ଅଧିକାରୀଙ୍କ ବାଟ ରୋକିଛନ୍ତି ପଟାଙ୍ଗୀ ବିଧାୟକ ଓ ବ୍ଲକ ଚେୟାରମ୍ୟାନ । ଆନ୍ଧ୍ର ଅଧିକାରୀଙ୍କ ସହ ଯୁକ୍ତିତର୍କ ପରେ ସର୍ଭେ କରିନପାରି ଗଳା ବାଟ ଦେଇ ଫେରିଯାଇଛନ୍ତି ଆନ୍ଧ୍ର ଅଧିକାରୀ ।

କୋଟିଆ ଗ୍ରାମପୁଂଜ ନାରେଡିବାଲସା ଦେଇ ଯାଇଥିବା ପାହାଡିଆ ନଦୀର ଜଳକୁ ସଂରକ୍ଷଣ କରି ୧୦୦ ମେଗା ୱାଟ୍ ଜଳବିଦ୍ୟୁତ ପ୍ରକଳ୍ପ କରିବାକୁ ଆନ୍ଧ୍ର ଯୋଜନା କରିଛି । ପ୍ରକଳ୍ପ ପାଇଁ ୨୦୦ କୋଟି ଟଙ୍କାର ଡିପିଆର ପ୍ରସ୍ତୁତ ହୋଇଛି । ପ୍ରକଳ୍ପ ହେଲେ ନାରେଡିବାଲସା ଦେଇ ଯାଇଥିବା ହେରିଟେଜ ରାସ୍ତା କ୍ଷତିଗ୍ରସ୍ତ ହେବ । ଶହ ଶହ ଏକର ଜମି ଜଳମଗ୍ନ ହେବା ସହ ବହୁ ପରିବାର ବାସ ହରାଇବା ସମ୍ଭାବନା ରହିଛି । ଆନ୍ଧ୍ରର ଏଭଳି କାମକୁ ନିନ୍ଦା କରିବା ସହ ଲୋକଙ୍କ ବିକାଶ କଥା କହି ଆନ୍ଧ୍ର ଯେଉଁ ଭଳି କାମ କରୁଛି, ଓଡ଼ିଶା ମଧ୍ୟ ସେମିତି କରିବା ଆବଶ୍ୟକ ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତା ଜୟରାମ ପାଙ୍ଗି ।

କୋଟିଆର ବିକାଶ ପାଇଁ ରାଜ୍ୟ ସରକାର ଅନେକ ଯୋଜନା କରୁଥିବା ବେଳେ ଆନ୍ଧ୍ର ଗଳାବାଟ ଦେଇ କୋଟିଆରେ ପ୍ରବେଶ କରିବା କିଛି ନୁଆ କଥା ନୁହେଁ କିନ୍ତୁ ସାଥିରେ ବଭିନ୍ନ କମ୍ପାନି ଅଧିକାରୀଙ୍କୁ ସର୍ଭେ କରିବା କେଉଁଠି ନା କେଉଁଠି ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।