ଓଡିଶା ପିଲାଙ୍କୁ ଆକୃଷ୍ଟ କରୁଛି ଆନ୍ଧ୍ର ଶିକ୍ଷା: ଓଡିଶା ସୀମାନ୍ତ ସ୍କୁଲକୁ ଛାଡି ଆନ୍ଧ୍ରକୁ ଚାଲି ଯାଉଛନ୍ତି ଛାତ୍ରଛାତ୍ରୀ

60

କନକ ବ୍ୟୁରୋ: ପ୍ରଥମେ ପିଲା ଅଭାବ ଦର୍ଶାଇ ସରକାର ସ୍କୁଲ ବନ୍ଦ କରିଦେଲେ, ପରେ ଯେତିକି ସ୍କୁଲ ଚାଲିଥିଲା ମହାମାରି କରୋନା ଯୋଗୁଁ ବନ୍ଦ ହୋଇଗଲା । ଦୀର୍ଘ ବର୍ଷ ଧରି ସ୍କୁଲ ବନ୍ଦ ହବା ଯୋଗୁଁ ଫାଏଦା ନେଲା ଆନ୍ଧ୍ର । ଆନ୍ଧ୍ର-ଓଡିଶା ସୀମାନ୍ତରେ ଥିବା ଓଡିଶା ସ୍କୁଲର ଛାତ୍ରଛାତ୍ରୀ ଏବେ ଆନ୍ଧ୍ର ସ୍କୁଲରେ ପାଠ ପଢୁଥିବା ଦେଖିବାକୁ ମିଳିଛନ୍ତି ।

ବିନା ଟିସିରେ ଓଡିଶାର ଛାତ୍ରଛାତ୍ରିଙ୍କୁ ନେଇ ନିଜ ସ୍କୁଲରେ ପାଠ ପଢାଇବା ସହ ବିଭିନ୍ନ ଯୋଜନାରେ ସାମିଲ କରୁଛନ୍ତି ଅନ୍ଧ୍ର ସରକାର । ବର୍ତମାନ ଓଡିଶା ପ୍ରାଥମିକ ସ୍କୁଲ ବନ୍ଦ ଥିବା ବେଳେ ଗତ ଜୁନ ମାସରୁ ଆନ୍ଧ୍ରର ସମସ୍ତ ସ୍କୁଲ ଖୋଲି ପାଠ ପଢା ଜାରି ରହିଛି । ଆନ୍ଧ୍ର-ଓଡିଶା ସୀମାନ୍ତ ରାୟଗଡା ଜିଲ୍ଲାର କେରେଡା ଉଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ସ୍କୁଲକୁ ଆସୁନଥିବା ବେଳେ ଟିସି ପାଇଁ ଆବେଦନ କରିଛନ୍ତି ।

ମିଳିଥିବା ସୁଚନା ଅନୁସାରେ ୨୦୧୯-୨୦ ବର୍ଷରେ ଛାତ୍ରଛାତ୍ରୀ ନଥିବା ଦର୍ଶାଇ ରାୟଗଡା ଜିଲ୍ଲାରେ ୩୧୪ଟି ସ୍କୁଲ ବନ୍ଦ ହୋଇଛି । ୨୦୨୦-୨୧ରେ ଆଉ ୭୭ ଟି ସ୍କୁଲକୁ ବନ୍ଦ କରାଯାଇଛି । କରୋନା ଯୋଗୁଁ ୧୧୬୨ଟି ପ୍ରାଥମିକ ବିଦ୍ୟାଳୟ, ୨୩୮ଟି ସେକଣ୍ଡାରି ସ୍କୁଲ ଓ ୫୭୭ଟି ଅପର ପ୍ରାଇମେରି ସ୍କୁଲରେ ପ୍ରଥମରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା ବନ୍ଦ ରହିଛି । ସେହିଭଳି ୩୯୧ଟି ସ୍କୁଲରେ ପିଲା ନଥିବା ଦର୍ଶାଇ ବନ୍ଦ କରି ଦେଇଛି ଗଣଶିକ୍ଷା ବିଭାଗ । ଆଉ ଏହାର ଫାଇଦା ଉଠାଉଛି ଆନ୍ଧ୍ର । ଛାତ୍ରଛାତ୍ରୀଙ୍କୁ ଆମା ବାଡି ଯୋଜନାରେ ସାମିଲ କରି ମାଗଣାରେ ପାଠ ପଢାଇବା ସହ ମାଗଣାରେ ଖାଦ୍ୟ, ସ୍କୁଲ ପୋଷାକ ଏବଂ ବର୍ଷକୁ ୩୦ ହଜାର ଟଙ୍କା ବୃତି ପ୍ରଦାନ କରୁଛି ଆନ୍ଧ୍ର ସରକାର ।

ସ୍ଥିତି ଏମିତି ହୋଇଛି ଯେ, ବର୍ତମାନ ଓଡିଶା ସ୍କୁଲରେ ଛାତ୍ରଛାତ୍ରୀଙ୍କ ଉପସ୍ଥାପନା କମିବାରେ ଲାଗିଛି । ଦିର୍ଘ ବର୍ଷ ଧରି ବନ୍ଦ ରହିବା ଯୋଗୁଁ ସ୍କୁଲ କୋଠା ଗୁଡିକ ଭୂତ କୋଠି ପାଲଟି ଯାଇଛି । ଜାନୁଆରୀରୁ ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାର ଚିନ୍ତା କରୁଥିବା ବେଳେ ଆନ୍ଧ୍ରରେ ପଢୁଥିବା ଓଡିଆ ପିଲା ଓଡିଶା ସ୍କୁଲକୁ ଫେରିବେ କି ନାହିଁ ତାହା ବର୍ତମାନ ପ୍ରଶ୍ନବାଚି ଶୃଷ୍ଟି କରିଛି ।