ଓଡିଶାର ପଂଚାୟତ ନିର୍ବାଚନ ପ୍ରସ୍ତୁତିକୁ ଦେଖି ପଡୋଶୀ ଛାନିଆ : ପୁଣି ନୂଆ ଚାଲ ଖେଳିଲା ଆନ୍ଧ୍ର; ଆଦିବାସୀଙ୍କୁ ବାଂଟିଲା ଜଙ୍ଗଲ ଜମି ପଟ୍ଟା

ସାଲୁର ମଣ୍ଡଳରେ ୫୦୦ ପଟ୍ଟା ବାଂଟିବାକୁ ଜଗନମୋହନ ସରକାରଙ୍କ ଯୋଜନା

57

କନକ ବ୍ୟୁରୋ : କୋଟିଆରେ ପୁଣି ସାମ୍ନାକୁ ଆସିଛି ଆନ୍ଧ୍ରର ଷଡ଼ଯନ୍ତ୍ର । ଓଡିଶାର ପଂଚାୟତ ନିର୍ବାଚନ ପ୍ରସ୍ତୁତିକୁ ଭଣ୍ଡୁର କରିବା ପାଇଁ ନୂଆ ଚାଲ ଖେଳିଛି ପଡୋଷୀ । କୋଟିଆ ଗଞ୍ଜେଇପଦର ଅଂଚଳରେ ଏଜେଂଟଙ୍କୁ ଧରି ଆରମ୍ଭ କରିଛି ଜଙ୍ଗଲ ଜମି ପଟ୍ଟା ବଂଟନ । କୋଟିଆକୁ ମିଶାଇ ସାଲୁର ମଣ୍ଡଳରେ ୫୦୦ରୁ ଅଧିକ ଜମି ପଟ୍ଟା ବାଂଟିବାକୁ ଯୋଜନା ରଖିଛନ୍ତି ଆନ୍ଧ୍ର ସରକାର । ଏହି ପଟ୍ଟାରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କ ଫଟୋ ଥିବା ଦେଖିବାକୁ ମିଳୁଛି । ପୂର୍ବରୁ କୋଟିଆରେ ରାସନକାର୍ଡଠାରୁ ଆରମ୍ଭ କରି ଆଧାରକାର୍ଡ ଓ ଭୋଟରକାର୍ଡ ବାଂଟିଆସୁଛି ଆନ୍ଧ୍ର ।

ଏପରିକି କୋଟିଆର ତିନିଟି ପଂଚାୟତ ତଳଗଞ୍ଜେଇପଦର, ଫାଟୁସିନେରୀ ଓ ଫଗୁଣସିନେରୀରେ କରିଥିଲା ପଂଚାୟତ ନିର୍ବାଚନ । ସାଲୁର ମଣ୍ଡଳ ଅଧିନରେ ଏହି ତିନି ପଂଚାୟତକୁ ମିଶାଇ ଭୋଟ କରିଥିବାବେଳେ ଏଠାରେ ଜଗନମୋହନଙ୍କ ପାର୍ଟି ୱାଇଏସଆର କଂଗ୍ରେସ ସମର୍ଥିତ ସରପଂଚ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଏବେ ଓଡିଶା ସରକାର କୋଟିଆରେ ପଂଚାୟତ ନିର୍ବାଚନ କରିବାକୁ ଯାଉଥିବାବେଳେ ଏଥିରେ ଅଡୁଆ ସୃଷ୍ଟି କରିବାକୁ ଆନ୍ଧ୍ର ଏହି ନୂଆ ଚାଲ ଖେଳିଛି । ଲୋକଙ୍କୁ ଜମି ପଟ୍ଟା ଦେଇ ନିଜ ଆଡକୁ ଆକର୍ଷିତ କରିବା ପାଇଁ ଷଡଯନ୍ତ୍ର କରୁଛି । ଫଳରେ ଲୋକେ ଓଡିଶା ପକ୍ଷରୁ ହେବାକୁ ଥିବା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଭାଗ ନେବେନାହିଁ ।