ନିଜ ନିର୍ବାଚନ ମଣ୍ଡଳୀରେ ହଟ୍ଟହଟ୍ଟା ହେଲେ ଗଣଶିକ୍ଷା ମନ୍ତ୍ରୀ । ଗୋପ ବ୍ଲକ ନାଗପୁର ପଞ୍ଚାୟତରେ ରାସ୍ତା ଉପରେ ଗାଡ଼ିକୁ ଅଟକାଇଲେ ଅସନ୍ତୁଷ୍ଟ କର୍ମୀ ।

197

କନକ ବ୍ୟୁରୋ: ହଟ୍ଟହଟ୍ଟା ହେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ମନ୍ତ୍ରୀଙ୍କୁ ଦୀର୍ଘ ସମୟ ଧରି ଅଟକ ରଖିଲେ ଅସନ୍ତୁଷ୍ଟ କର୍ମୀ । ଫଳରେ ବିଜେଡିରେ ଦୁଇ ଗୋଷ୍ଠୀ ଭିତରେ ବିବାଦ ରହିଥିବା ଚର୍ଚ୍ଚା ହେଉଛି । ନିମାପଡା ନିର୍ବାଚନ ମଣ୍ଡଳୀର ଗୋପ ବ୍ଲକ ନାଗପୁର ପଞ୍ଚାୟତରେ ସରପଞ୍ଚ ଓ ସମିତି ସଭ୍ୟ ଲାଗି ବିଜେଡି ପକ୍ଷରୁ ଦୁଇ ଦୁଇଜଣ ପ୍ରାର୍ଥୀ ଦିଆଯାଇଥିବା କୁହାଯାଉଛି । ଖୋଲାବହି ଚିହ୍ନରେ ଛିଡା ହୋଇଥିବା ପ୍ରାର୍ଥୀଙ୍କୁ ବିଜେଡିର ସ୍ଥାନୀୟ ବରିଷ୍ଠ କର୍ମୀଙ୍କ ସମର୍ଥନ ରହିଥିବାବେଳେ ମନ୍ତ୍ରୀଙ୍କ ସମର୍ଥିତ ପ୍ରାର୍ଥୀ ସୂର୍ଯ୍ୟ ଚିହ୍ନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ତାଙ୍କ ପ୍ରତି ହାତଗଣତି କର୍ମୀଙ୍କ ସମର୍ଥନ ରହିଥିବା କୁହାଯାଉଛି । ଆଉ ଏହାକୁ ନେଇ ନାଗପୁର ପଞ୍ଚାୟତରେ ଦୁଇ ଗୋଷ୍ଠୀ ଭିତରେ ଲାଗିରହିଛି ଛକାପଞ୍ଝା । ଆଜି ମନ୍ତ୍ରୀ ସମୀର ଦାଶ ନାଗପୁର ଗସ୍ତରେ ଯାଇଥିବାବେଳେ ତାଙ୍କ ଗାଡିକୁ ରାସ୍ତା ଉପରେ ଅଟକାଇ ଦେଇଥିଲେ ଅସନ୍ତୁଷ୍ଟ କର୍ମୀ । ନାଗପୁର ବଜାର ଉପରେ ଦୀର୍ଘ ସମୟ ଧରି ଗାଡିକୁ ଅଟକ ରଖିଥିଲେ । ଖୋଲାବହି ଚିହ୍ନରେ ଛିଡା ହୋଇଥିବା ପ୍ରାର୍ଥୀଙ୍କ କାର୍ଯ୍ୟାଳୟକୁ ଯିବା ପାଇଁ ମନ୍ତ୍ରୀଙ୍କୁ ବାଧ୍ୟ କରିଥିଲେ । ହେଲେ ମନ୍ତ୍ରୀ ଏଥିପାଇଁ ରାଜି ନହୋଇ ଅନୁରୋଧ କରି ସେଠାରୁ ଖସିଆସିଥିଲେ । ହେଲେ ପଂଚାୟତ ନିର୍ବାଚନକୁ ନେଇ ଏଠାରେ ଦୁଇ ଗୋଷ୍ଠୀ ଭିତରେ ବିବାଦ ଯୋଗୁଁ ଅକଳରେ ପଡିଯାଇଛନ୍ତି ମନ୍ତ୍ରୀ । ନିଜ ନିର୍ବାଚନ ମଣ୍ଡଳୀରେ ଏଭଳି ବିରୋଧାଭାସ ମନ୍ତ୍ରୀ ଓ ତାଙ୍କ ସମର୍ଥିତ ପ୍ରାର୍ଥୀଙ୍କ ପାଇଁ ଅଡୁଆ ସୃଷ୍ଟି କରିପାରେ ବୋଲି ଚର୍ଚ୍ଚା ହେଉଛି ।