ରୋଡ ଶୋ ସମୟରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ କାରକେଡ ଉପରେ ପଥରମାଡ଼ । ଜଗନମୋହନ ରେଡ୍ଡିଙ୍କ ମୁଣ୍ଡ ଓ ଆଖିରେ ଗଭୀର ଆଘାତ ।

369

କନକ ବ୍ୟୁରୋ: ରୋଡ ଶୋ’ ସମୟରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଉପରେ ପଥରମାଡ଼ । ଏହି ପଥରମାଡ଼ରେ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନମୋହନ ରେଡ୍ଡିଙ୍କ ମୁଣ୍ଡ ଓ ଆଖିରେ ଆଘାତ ଲାଗିଛି । ମୁଖ୍ୟମନ୍ତ୍ରୀଙ୍କ କାରକେଡରେ ଥିବା ଗାଡି ଗୁଡ଼ିକ ଉପରେ ମଧ୍ୟ ଆକ୍ରମଣ କରାଯାଇଛି । ମୁଖ୍ୟମନ୍ତ୍ରୀ ‘ମେମନ୍ତ ସିଦ୍ଧମ’ ବସ ଯାତ୍ରାରେ ବିଜୟୱାଡା ଦେଇ ଯାଉଥିବା ବେଳେ ବାଟରେ ଦଳୀୟ କର୍ମୀ ମାନଙ୍କ ପକ୍ଷରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ଉପରକୁ କେହି ପଥରମାଡ଼ କରିଥିଲା ।

ସିଂହନଗର ବିବେକାନନ୍ଦ ସ୍କୁଲ ନିକଟରେ କେହି ଜଣେ ଅଜଣାବ୍ୟକ୍ତି ଏହି ପଥର ମାଡ଼ କରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ବାମ ଆଖି ଏବଂ ମୁଣ୍ଡରେ ଆଘାତ ଲାଗିଛି । ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡିଙ୍କ ସହଯୋଗୀ ତଥା ବିଧାୟକ ଭେଲାପଲ୍ଲୀ ମଧ୍ୟ ଏହି ଆକ୍ରମଣରେ ଆହତ ହୋଇଛନ୍ତି । ପରେ ଦୁଇ ଜଣଙ୍କୁ ବସ ଭିତରେ ପ୍ରାଥମିକା ଚିକିତ୍ସା କରାଯାଇଛି । ତେବେ ଅଜ୍ଞାତ ବ୍ୟକ୍ତି ଜଣ କାହିଁକି ପଥରମାଡ଼ କରିଛି ତାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଏହି ଆକ୍ରମଣରେ ବିରୋଧୀ ଦଳଙ୍କ ହାତ ଥିବା ଅଭିଯୋଗ କରିଛି ୱାଇଏସଆର କଂଗ୍ରେସ । ସେପଟେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଉପରେ ଆକ୍ରମଣ ପରେ ଟ୍ୱିଟ୍ କରି ଆଶୁ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ।