୩୬ଦିନର ଲୁଚକାଳି ଖେଳ ପରେ ପୋଲିସ ହେପାଜତରେ ଅମୃତପାଲ ସିଂ ।  ପୋଲିସ କହୁଛି ଗିରଫ, ଗୁରୁଦ୍ୱାର ମୁଖ୍ୟ କହୁଛନ୍ତି ଆତ୍ମସମର୍ପଣ

247

କନକ ବ୍ୟୁରୋ : ପଳାତକ ଅମୃତପାଲ ସିଂଙ୍କୁ ଧରିବାକୁ ପୋଲିସକୁ ୩୬ ଦିନ ଧରି ଚଳାଇଥିବା ଅଭିଯାନର ଅନ୍ତ ଘଟିଛି । ରବିବାର ଦିନ ପଞ୍ଜାବ ପୋଲିସ ମୋଗା ଠାରେ ଥିବା ରୋଡେବାଲ ଗୁରୁଦ୍ୱାର ବାହାରୁ ଅମୃତପାଲ ସିଂଙ୍କୁ ଗିରଫ କରିଛି । ହେଲେ ଅମୃତପାଲ ସିଂଙ୍କୁ ଗିରଫ କରାଯାଇ ନାହିଁ ବରଂ ସେ ଆତ୍ମ ସମର୍ପଣ କରିଥିବା କଥା ବିଭିନ୍ନ ମହଲରୁ ପ୍ରଚାର କରାଯାଉଛି । ଏନେଇ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓରେ ଦେଖିବାକୁ ମିଳିଛି କି ଅମୃତପାଲ ସିଂ ଗୁରୁଦ୍ୱାରକୁ ଆସି ସେଠାରେ ପ୍ରବଚନ ଦେଉଛନ୍ତି । ଏହାପରେ ଭିଡିଓ ମାଧ୍ୟମରେ ପ୍ରଚାର କରାଯିବାକୁ ଚେଷ୍ଟା କରାଯାଇଛି କି ପ୍ରବଚନ ଦେବା ପରେ ଅମୃତପାଲ ସିଂ ପଞ୍ଜାବ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ।

ସୂଚନା ଥାଉକି ଗିରଫ ହେବା ପୂର୍ବରୁ ଶନିବାର ରାତିରେ ଅମୃତପାଲ ସିଂ ଗୁରୁଦ୍ୱାରକୁ ଆସିଥିଲେ । ଗୁରୁଦ୍ୱାରର ଗ୍ରନ୍ଥୀଙ୍କ କହିବା ମୁତାବକ ଅମୃତପାଲ ସିଂ ଆତ୍ମସମର୍ପଣ କରିଛନ୍ତି । ହେଲେ ପଞ୍ଜାବ ପୋଲିସ କହିଛି କି ତାଙ୍କୁ ଗିରଫ କରାଯାଇଛି । ପଞ୍ଜାବ ପୋଲିସର ଆଇଜି ସୁଖଚେନ ସିଂ ଗିଲ ଅମୃତପାଲ ସିଂଙ୍କ ଗିରଫ ପରେ ଏକ ସାମ୍ବାଦିକ ସମ୍ମିଳନୀ କରି ପୁରା ମାମଲା ଉପରେ ସୂଚନା ଦେଇଛନ୍ତି । ସେ ଏହି ସାମ୍ବାଦିକ ସମ୍ମିଳନୀରେ ଅମୃତପାଲ ସିଂଙ୍କୁ କିଭଳି ଗିରଫ କରାଗଲା ତା ଉପରେ ବିସ୍ତୃତ ସୂଚନା ଦେଇଛନ୍ତି ।

ଆଇଜି ସୁଖଚେନ ସିଂ ଗିଲଙ୍କ କହିବା ମୁତାବକ ଅମୃତପାଲ ସିଂଙ୍କୁ ପଞ୍ଜାବ ପୋଲିସ ରବିବାର ସକାଳ ୬ଟା୪୫ ମିନିଟରେ ଗିରଫ କରାଯାଇଛି । ଅମୃତସର ଓ ପଞ୍ଜାବ ପୋଲିସର ଇଣ୍ଟେଲିଜେନ୍ସ ୱିଙ୍ଗ୍ ଏନେଇ ଏକ ଅଭିଯାନ ଚଳାଇଥିଲା । ଏହି ଇଣ୍ଟେଲିଜେନ୍ସ ୱିଙ୍ଗକୁ ସୂଚନା ମିଳିଥିଲା କି ଅମୃତପାଲ ରୋଡେଗାଓଁ ନିକଟରେ ଥିବା ଗୁରୁଦ୍ୱାରକୁ ଆସୁଛନ୍ତି । ଏହାପରେ ସଂଯୁକ୍ତ ପୋଲିସ ଟିମ ପୁରା ଗାଁକୁ ଘେରାବନ୍ଦୀ କରିଥିଲା । ଏହାପରେ ଅମୃତପାଲଙ୍କୁ ଗିରଫ କରାଯାଇ ଡିବ୍ରୁଗଡ ନିଆଯାଇଛି ।

ପୋଲିସ ତାର ବୟାନରେ ଅମୃତପାଲଙ୍କୁ ଗିରଫ କରାଯାଇଥିବା କଥା କହୁଥିବା ବେଳେ ଗୁରୁଦ୍ୱାର ପକ୍ଷରୁ ଅମୃତପାଲ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା କଥା କହିଛନ୍ତି । ଗୁରୁ୍ଦ୍ୱାରର ମୁଖ୍ୟ ଜସବୀର ସିଂ କହିଛନ୍ତି ଅମୃତପାଲ ସିଂ ଆତ୍ମସମର୍ପଣ କରିଛନ୍ତି ।