ଅଜିତ୍ ପାୱାରଙ୍କୁ ଝଟକା । ଶପଥ ଗ୍ରହଣ ଉତ୍ସବରେ ସାମିଲ ସଂସଦ ଫେରିଲେ ଶରଦଙ୍କ କ୍ୟାମ୍ପକୁ ।

1,214

କନକ ବ୍ୟୁରୋ : ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର କିଛି ଘଣ୍ଟା ବିତିନି, ଅଜିତ ପାୱାରଙ୍କୁ ଲାଗିଛି ବଡ ଝଟକା । ଏନସିପି ସାଂସଦ ଅମୋଲ କୋହ୍ଲେ ପଟ୍ଟ ପରିବର୍ତ୍ତନ କରି ପୁଣିଥରେ ଶରଦ ପାୱାରଙ୍କ କ୍ୟାମ୍ପକୁ ଫେରିଛନ୍ତି । ଗତକାଲି ଅଜିତ ପାୱାରଙ୍କ ଶପଥ ଗ୍ରହଣ ଉତ୍ସବରେ କୋହ୍ଲେଙ୍କୁ ରାଜଭବନରେ ଦେଖିବାକୁ ମିଳିଥିଲା । କିନ୍ତୁ କୋହ୍ଲେଙ୍କ ଗୋଟିଏ ଟ୍ୱିଟ୍ ଏବେ ଅଜିତଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି ।

ଅମୋଲ କୋହ୍ଲେ ଏକ ଭିଡ଼ିଓ ବାର୍ତ୍ତା ଟ୍ୱିଟ୍ କରି କହିଛନ୍ତି, ଯେତେବେଳେ ହୃଦୟ ଓ ମସ୍ତିଷ୍କ ମଧ୍ୟରେ ଲଢେଇ ହୁଏ ସେତେବେଳେ ହୃଦୟ କଥା ସବୁବେଳେ ଶୁଣିବା ଉଚିତ୍ । କାରଣ ମସ୍ତିଷ୍କ ବେଳେ ବେଳେ ନୈତିକତା ଭୁଲି ଯାଇଥାଏ, କିନ୍ତୁ ହୃଦୟ ନୈତିକତା କେବେ ବି ଭୁଲେନି । ଏହି ଟ୍ୱିଟରେ ଏନସିପି ମୁଖ୍ୟ ଶରଦ ପାୱାର, ସୁପ୍ରିୟା ସୁଲେ, ଜୟନ୍ତ ପାଟିଲ ଓ ଜିତେନ୍ଦ୍ର ଆହ୍ୱାଣେଙ୍କୁ ଟ୍ୟାଗ କରିଛନ୍ତି ଅମୋଲ ।

ଏସବୁ ଭିତରେ ଶରଦ ପାୱାରାରେ ସତାରାରେ ନିଜର ଶକ୍ତି ପ୍ରଦର୍ଶନ କରିଥିବା ବେଳେ ଅଜିତ ପାୱାର ଗତକାଲି ଶପଥ ନେଇଥିବା ନେତାଙ୍କ ସହ ବୈଠକ କରିଛନ୍ତି । ଏହାସହ ଅଜିତ କହିଛନ୍ତି, ଏନସିପିର ଅଧିକାଂଶ ବିଧାୟକଙ୍କ ସମର୍ଥନ ମୋ ସହ ରହିଛି । କିନ୍ତୁ ବାସ୍ତବରେ ଏବେ ବି ଅନେକ ବିଧାୟକଙ୍କ ସମର୍ଥନ ଶରଦ ପାୱାରଙ୍କ ସହ ରହିଛି । ସେହିଭଳି କିଛି ବିଧାୟକ ଏଯାବତ କୌଣସି ନିଷ୍ପତ୍ତି ନେଇନାହାନ୍ତି । ଏଭଳି ସ୍ଥିତିରେ ଯଦି ଅଜିତ ଦୁଇ ତୃତୀୟାଂଶ ବିଧାୟକଙ୍କ ସମର୍ଥନ ହାସଲ କରିବାରେ ବିଫଳ ହୁଅନ୍ତି ତେବେ ତାଙ୍କୁ ବଡ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ଏପରିକି ନିଜର ସଭ୍ୟପଦ ମଧ୍ୟ ହରାଇ ପାରନ୍ତି ଅଜିତ୍ । ସେହିଭଳି ଯଦି ଅଜିତ ସମର୍ଥନ ଜୁଟାଇବାରେ ସକ୍ଷମ ହୁଅନ୍ତି ତେବେ ଏନସିପିର ନିର୍ବାଚନୀ ଚିହ୍ନ ହାସଲ କରିବା ସହଜ ହୋଇଯିବ । ତେଣୁ ଉଭୟ ପକ୍ଷ ଏବେ ବିଧାୟକଙ୍କୁ ନିଜ ସାଥୀରେ ରଖିବାକୁ ଚାହୁଁଛନ୍ତି ।