ପଂଜାବ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନେଇ ତେଜୁଛି ରାଜନୀତି : ହାଇକମାଣ୍ଡ ସୋନିଆଙ୍କୁ ଟାର୍ଗେଟ କଲେ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁ 

କହିଲେ ଉପରେ ଥିବା ନେତାମାନେ ରାଜ୍ୟରେ ଚାହୁଛନ୍ତି ଦୁର୍ବଳ ମୁଖ୍ୟମନ୍ତ୍ରୀ; ରବିବାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବେ ରାହୁଲ

89

ପଂଜାବରେ କଂଗ୍ରେସର କିଏ ହେବ ମୁଖ୍ୟମନ୍ତ୍ରୀ ଚେହେରା, ଏହାକୁ ନେଇ ଜାରି ରହିଛି ସସପେନ୍ସ । ଆସନ୍ତାକାଲି କଂଗ୍ରେସର ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବ ସେନେଇ ଘୋଷଣା କରିବେ ରାହୁଲ ଗାନ୍ଧୀ । ଏହାପୂର୍ବରୁ କଂଗ୍ରେସ ସୁପ୍ରିମୋ ସୋନିଆ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି ସିଦ୍ଧୁ । ସିଦ୍ଧୁ କହିଛନ୍ତି, ଉପରେ ଥିବା ବଡ ନେତାମାନେ ପଂଜାବରେ ଜଣେ ଦୁର୍ବଳ ମୁଖ୍ୟମନ୍ତ୍ରୀ ଚାହାଁନ୍ତି । କେବଳ ସେତିକି ନୁହେଁ ମୁଖ୍ୟମନ୍ତ୍ରୀ ଚରଣଜୀତ ସିଂହ ଚନ୍ନିଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ସିଦ୍ଧୁ । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ପାଇଁ ଦଳ ସେମିତି ପ୍ରାର୍ଥୀକୁ ବାଛିବା ଉଚିତ୍ ଯିଏ, ସ୍ୱଭାବରେ ସଚ୍ଚୋଟ ଥିବ । ଆଉ ଯାହାର ସ୍ୱଚ୍ଛ ରେକର୍ଡ ଥିବ ।

ନିଜ ବିଷୟରେ ସିଦ୍ଧୁ କହିଛନ୍ତି ସେ ଜଣେ ସଚ୍ଚୋଟ ନେତା ଆଉ ସେ କାହାକୁ ବି ଭୟ କରନ୍ତି ନାହିଁ । ପଂଜାବ ବାସୀଙ୍କ ହକ୍ ପାଇଁ ଲଢିଆସୁଛନ୍ତି ଆଉ ଆଗକୁ ଲଢୁଥିବେ । ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ହେବା ପୂର୍ବରୁ ବିବାଦୀୟ ବୟାନ ଦେଇ ଚର୍ଚ୍ଚା ସାଉଁଟିଛନ୍ତି ପଂଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁ । ସେ ଆହୁରି ମଧ୍ୟ କହିଛନ୍ତି, ପଂଜାବରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ସିଏ ହେବା ଉଚିତ୍ ଯାହା ପାଖରେ ୬୦ଜଣ ବିଧାୟକଙ୍କ ସମର୍ଥନ ରହିଥିବ । ତେବେ କଂଗ୍ରେସ ହାଇକମାଣ୍ଡ ପଂଜାବ ପାଇଁ କାହାକୁ ମୁଖ୍ୟମନ୍ତ୍ରୀ ଚେହେରା ବାଛିବେ, ତାହା ରବିବାର ହିଁ ସ୍ପଷ୍ଟ ହେବ ।