ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଚରଣଜୀତ ସିଂହ ଚନ୍ନିଙ୍କୁ ଝଟକା: ଭଣଜା ଭୁପିନ୍ଦର ସିଂହ ହନିକୁ ଗିରଫ କଲା ଇଡି

117

କନକ ବ୍ୟୁରୋ: ପଂଜାବ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଚରଣଜୀତ ସିଂହ ଚନ୍ନିଙ୍କୁ ବଡ ଝଟକା । ଗୁରୁବାର ମଧ୍ୟରାତ୍ରିରେ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ସମ୍ପର୍କୀୟଙ୍କୁ ଗିରଫ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ୮ ଘଂଟା ଧରି ଜେରା କରିବା ପରେ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ଭଣଜା ଭୁପିନ୍ଦର ସିଂହ ହନିକୁ ଗିରଫ କରାଯାଇଛି । କେନ୍ଦ୍ରରେ ଥିବା ବିଜେପି ସରକାର ରାଗ ରଖି ଏପରି କରୁଥିବା କଂଗ୍ରେସ ଅଭିଯୋଗ କରିଛି ।

ଅଡୁଆରେ ପଂଜାବ ମୁଖ୍ୟମନ୍ତ୍ରୀ ଚରଣଜୀତ ସିଂହ ଚନ୍ନି । ବେଆଇନ୍ ଅର୍ଥକାରୋବାର ଅଭିଯୋଗରେ ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କୀୟଙ୍କୁ ଗିରଫ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ବେଆଇନ୍ ବାଲି କାରୋବାର ଓ ଅର୍ଥକାରୋବାର ଅଭିଯୋଗରେ ୮ ଘଂଟା ଧରି ଜେରା କରିବା ପରେ ଗୁରୁବାର ମଧ୍ୟ ରାତ୍ରିରେ ପଂଜାବ ମୁଖ୍ୟମନ୍ତ୍ରୀଙ୍କ ଭଣଜା ଭୁପିନ୍ଦର ସିଂହ ହନିକୁ ଗିରଫ କରିଛି ଇଡି । ଆଗକୁ ବିଧାନସଭା ନିର୍ବାଚନ ଥିବାବେଳେ ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କୀୟଙ୍କୁ ଗିରଫ କରାଯିବା ଘଟଣା ରାଜନୈ÷ତିକ ବୟାନବାଜିକୁ ଆହୁରି ସକ୍ରିୟ କରିଛି । କେନ୍ଦ୍ରରେ ଥିବା ବିଜେପି ସରକାର ଜାଣିଶୁଣି ନିର୍ବାଚନ ସମୟରେ ଏହି ମାମଲା ସାମ୍ନାକୁ ଆଣିଥିବା କହିଛି କଂଗ୍ରେସ । ସେପଟେ ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କୁ ସମାଲୋଚନା କରିଛନ୍ତି ।

ଏହା ପୁର୍ବରୁ ଭୁପିନ୍ଦରଙ୍କ ଏକାଧିକା ବାସଭବନ ଉପରେ ଲଗାତାର ରେଡ କରିଥିଲା ଇଡି । ରେଡ ସମୟରେ ୧୦ କୋଟି ଟଙ୍କା, ୨୧ ଲକ୍ଷ ଟଙ୍କାର ସୁନା ଗହଣା ଓ ୧୨ ଲକ୍ଷ ଟଙ୍କାର ଏକ ହାତ ଘଂଟା ଜବତ ହୋଇଥିଲା । ବାଲି ମାଫିଆ ଓ ବେଆଇନ ଅର୍ଥ କାରବାର ଘଟଣାରେ ଗୁରୁବାର ଜଲନ୍ଧର ଅଫିସରେ ହାଜର ହୋଇଥିଲେ ଭୁପନ୍ଦିର । ୭-୮ ଘଂଟା ଧରି ପଚରା ଉଚୁରା କରିବା ପରେ ଶେଷରେ ଭୁପିନ୍ଦରଙ୍କୁ ଗିରଫ କରିଛି ଇଡି । ଅନ୍ୟପଟେ ନିର୍ବାଚନ ପୁର୍ବରୁ ଏହା ବିଜେପିର ଚାଲ ବୋଲି କହିଲେ ପଂଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ ।

ଆସନ୍ତା ଫେବୃଆରି ୮ ତାରିଖ ପର୍ଯ୍ୟନ୍ତ ଇଡି ହିପାଜତରେ ରହିବେ ମୁଖ୍ୟମନ୍ତ୍ରୀ ଚନ୍ନୀଙ୍କ ସମ୍ପର୍କୀୟ ଭୁପିନ୍ଦିର ସିଂ ହନି । ହନିଙ୍କ ଗିରଫ ହେବା ପଞ୍ଜାବ ରାଜନୀତିରେ ନୂଆ ମୋଡ ଆଣିଛି ।