ଜମି ଦୁର୍ନୀତିକୁ ନେଇ କାଠଗଡାରେ ଯୋଗୀ ସରକାର: ସମ୍ପର୍କୀୟଙ୍କ ନାଁରେ ସରକାରୀ ବାବୁ ଓ ବିଧାୟକ ଜମି କିଣିଥିବା ଅଭିଯୋଗ

98

କନକ ବ୍ୟୁରୋ: ରାମ ମନ୍ଦିରର ପାଂଚ କିଲୋମିଟର ପରିଧି ଭିତରେ ବିଧାୟକ, ମେୟର, ପ୍ରଶାସନିକ ଅଧିକାରୀ ସମ୍ପର୍କୀୟଙ୍କ ନାମରେ ଜମି କିଣିଥିବା ଅଭିଯୋଗ । ବିଧାନସଭା ନିର୍ବାଚନ ବେଳେ ଏପରି ଅଭିଯୋଗ ରାଜନୀତିର ପାରା ବଢାଇଛିି । ବିଏସପି, ଆମ୍ ଆଦାମୀ ପାର୍ଟି ଏବଂ ସମାଜବାଦୀ ପାର୍ଟି ପରେ ଏବେ କଂଗ୍ରେସ ମଧ୍ୟ ଏ ପ୍ରସଙ୍ଗରେ ସରକାର ଉପରେ ବର୍ଷିଛି । ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି କିଭଳି ଗୋଟିଏ ଜମିକୁ ଦୁଇ ଥର ବିକ୍ରି ହୋଇଛି । ଏଥିରେ ଯୋଗୀ ସରକାରର ନେତା ଏବଂ ଅଫିସର ସାମିଲ ଅଛନ୍ତି ।

ଏପରି ଦୁର୍ନୀତି ରାମ ମନ୍ଦିର ତିଆରି ନାଁରେ କୋଟି କୋଟି ଲୋକଙ୍କ ଆସ୍ଥାକୁ ଧୋକ୍କା ଦେଇଛି ବୋଲି ସେ ଅଭିଯୋଗ କରିଛନ୍ତି । ହାଇକୋର୍ଟଙ୍କ ତତ୍ୱାବଧାନରେ ଏହାର ତଦନ୍ତ ହେବା ଦରକାର ବୋଲି ସେ ଦାବି କରିଛନ୍ତି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସପ୍ତାହେ ମଧ୍ୟରେ ଏହି ପ୍ରସଙ୍ଗରେ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୁପ୍ରିମକୋର୍ଟ ନଭେମ୍ବର ୯, ୨୦୧୯ରେ ଅଯୋଧ୍ୟା ପ୍ରସଙ୍ଗରେ ରାୟ ଦେଇଥିଲେ । ଏହାପରେ ୨୮ ମେ ୨୦୨୦ରେ ଅଯୋଧ୍ୟାର ତକ୍ରାଳୀନ ଜିଲ୍ଲାପାଳ ଅନୁଜ ଝାଙ୍କ ବାପା ଜମି କିଣିଥିବା ଜଣାପଡିଛି । ମୋଟ୍ ୧୫ ନେତା ଏବଂ ସରକାରୀ ଅଧିକାରାଙ୍କ ନାମ ଏଥିରେ ରହିଛି । ଅଧିକାଂଶ ପ୍ରଭାବଶାଳୀ, ମହର୍ଷି ରାମାୟଣ ବିଦ୍ୟାପୀଠ ନାମକ ଏକ ଟ୍ରଷ୍ଟ ପାଖରୁ ଜମି କିଣିଥିବା ଜଣାପଡିଛି । ସବୁଠୁ ବଡ କଥା ହେଲା ଏହି ଟ୍ରଷ୍ଟ ନାଁରେ ୧୯୯୦ରେ ଦଳିତ ଲୋକଙ୍କ ପାଖରୁ ବେଆଇନ ଭାବରେ ଜମି କିଣିଥିବାର ଅଭିଯୋଗ ରହିଛି । ଆଉ ଯେଉଁମାନେ ଏବେ ଜମି କିଣିଛନ୍ତି ସେଇମାନେ ହିଁ ଏହି ଦୁର୍ନୀତିର ତଦନ୍ତ କରୁଥିବା ଅଭିଯୋଗ ରହିଛି ।

ପୂର୍ବରୁ ମନ୍ଦିର ଟ୍ରଷ୍ଟ ନାଁରେ ଜମି ଉଚ୍ଚ ଦରରେ କିଣିଥିବା ଅଭିଯୋଗ ଆଉ ଏବେ ଶାସକ ଦଳର ନେତା ଏବଂ ସରକାରୀ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଯୋଗୀ ସରକାରର ଭାବମୂର୍ତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।