ରାଜ୍ୟପାଳଙ୍କ ନଜରକୁ ଆସିଲା ସୁମିତ-ତପସ୍ୱିନୀ ବିବାଦ । ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ।

245

କନକ ବ୍ୟୁରୋ : ସୁମିତ ଓ ତପସ୍ୱିନୀ ବିବାଦ ଏବେ ରାଜଭବନରେ ପହଞ୍ଚିଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଏହି ମାମଲାରେ ତଦନ୍ତ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମାମଲା କୋର୍ଟରେ ବିଚାରାଧୀନ ଥିବାରୁ ତପସ୍ୱିନୀ ଏବେ କେଉଁଠି ରହିବେ ? ତାଙ୍କ ଦାୟିତ୍ୱ କିଏ ନେବ ତାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । କାରଣ ସ୍ୱାମୀଙ୍କ ସହ ରହିବା ପାଇଁ ତପସ୍ୱିନୀ ଜିଦରେ ଅଟଳ ଥିବାବେଳେ ସୁମିତ ଅସୁସ୍ଥ ଥିବା ଦର୍ଶାଇ ପୁଣି ନିଜର ଛୁଟି ବଢାଇଛନ୍ତି ।

ତୁଟୁନି ସୁମିତ-ତପସ୍ୱିନୀ କଳି । କେଉଁଠି ରହିବେ ତପସ୍ୱିନୀ ? ବ୍ରହ୍ମପୁରର ବହୁ ଚର୍ଚ୍ଚିତ ଦମ୍ପତି ସୁମିତ ତପସ୍ୱିନୀ ବିବାଦ ଶେଷ ହେଉନି । ମାମଲା କୋର୍ଟରେ ବିଚାରାଧିନ ଥିବାବେଳେ ତପସ୍ୱିନୀ କେଉଁଠି ରହିବେ ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି । କାରଣ ଏବେ ବି ତପସ୍ୱିନୀ ଶାଶୁଘରର ବାରଣ୍ଡାରେ ଧାରଣାରେ ବସିଛନ୍ତି । ଶାଶୁଘରେ ରହିବା ପାଇଁ କରିଥିବା ଆବେଦନକୁ ଏସଡିଜେଏମ କୋର୍ଟ ଅଗ୍ରାହ୍ୟ କରିବା ପରେ ଉପର କୋର୍ଟକୁ ଯାଇଛନ୍ତି ତପସ୍ୱିନୀ ।

ଡାକ୍ତର ସୁମିତ ସାହୁଙ୍କ ସହ ତାଙ୍କର ବିବାହ ବିଚ୍ଛେଦ ହୋଇନଥିବାରୁ ତାଙ୍କୁ ଶାଶୂଘରେ ରହିବାକୁ ଅନୁମତି ପ୍ରଦାନ କରିବାକୁ ଆବେଦନ କରାଯାଇଛି । ଅନ୍ୟପଟେ ତପସ୍ୱିନୀଙ୍କୁ ଭଡାଘର ନେଇ ରଖିବା ପାଇଁ ଏସଡିଜେଏମ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ବି ତଳ କୋର୍ଟଙ୍କ ରାୟ ବିରୋଧରେ ଉପର କୋର୍ଟରେ ଅପିଲ କରିଛନ୍ତି ସୁମିତ । ତେବେ ମାମଲା ବିଚାରାଧୀନ ଥିବାରୁ, ତପସ୍ୱିନୀ ଏବେ କେଉଁଠି ରହିବେ, ତାହା ଏକ ଦ୍ୱନ୍ଦ୍ୱ ସୃଷ୍ଟି କରିଛି ।

ଏହି ବହୁ ଚର୍ଚ୍ଚିତ ମାମଲାର ତଦନ୍ତ ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ନିକଟକୁ ରାଜଭବନରୁ ଚିଠି ପଠାଯାଇଛି । ଘଟଣାର ତଦନ୍ତ କରି ଆବେଦନକାରୀଙ୍କ ସହ ରାଜଭବନକୁ ଜଣାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମାମଲାରେ ହସ୍ତକ୍ଷେପ କରି ନ୍ୟାୟ ଦେବା ପାଇଁ ରାଜ୍ୟପାଳଙ୍କୁ ଅନୁରୋଧ କରି ଚିଠି ଲେଖିଥିଲେ ତପସ୍ୱିନୀ । ଉଭୟ ପକ୍ଷ ଏବେ ତଳ କୋର୍ଟଙ୍କ ରାୟ ବିରୋଧରେ ଉପର କୋର୍ଟକୁ ଯାଇଥିବାରୁ ପରବର୍ତ୍ତୀ ଶୁଣାଣି ଉପରେ ସମସ୍ତଙ୍କ ନଜର ରହିଛି । ଆଗାମୀ ୨୭ ତାରିଖରେ ଏହି ଆବେଦନର ଶୁଣାଣି ହେବ ।