JSW ପ୍ରକଳ୍ପକୁ କିଏ ଦେଉଛି ସମର୍ଥନ କିଏ କରୁଛି ବିରୋଧ । ପୁଲିସ ସହ ଗ୍ରାମବାସୀ ମୁହାଁମୁହିଁ ହେବା ପରେ ବଦଳୁଛି ଚିତ୍ର ।

102

କନକ ବ୍ୟୁରୋ : ପ୍ରକଳ୍ପକୁ ନେଇ ଦୁଇ ଭାଗ ହେଲେ ଦୁଇ ପଡୋଶୀ ଗାଁ । ଜଗତସିଂହପୁର ଢ଼ିଙ୍କିଆ ପଞ୍ଚାୟତରେ ଜେଏସଡବ୍ଲୁ ପ୍ରକଳ୍ପ ସମର୍ଥନରେ ବାହାରିଛନ୍ତି ଗୋବିନ୍ଦପୁର ଗାଁ । କମ୍ପାନୀ ପକ୍ଷରୁ ପ୍ୟାକେଜ୍ ଘୋଷଣା ପରେ ପ୍ରଶାସନର ଉପସ୍ଥିତିରେ ଗୋବିନ୍ଦପୁର ଗାଁର ୬ ପରିବାର ନିଜ ନିଜ ପାନ ବରଜ ଭାଙ୍ଗି ଜେଏସଡବ୍ଲୁ ପ୍ରକଳ୍ପକୁ ସମର୍ଥନ ଜଣାଇଛନ୍ତି । ଅନ୍ୟପକ୍ଷରେ ପ୍ରକଳ୍ପ ବିରୋଧରେ ଗାଁମୁଣ୍ଡରେ ବାଉଁଶରେ ତାଟି କରି ତାଲା ପକାଇ ଜଗିବସିଛନ୍ତି ଗ୍ରାମବାସୀ ।

ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଢ଼ିଙ୍କିଆ ପଞ୍ଚାୟତରେ ଜେଏସଡବ୍ଲୁ ପ୍ରକଳ୍ପକୁ ନେଇ ଦୁଇଭାଗ ହୋଇଛନ୍ତି ପଡୋଶୀ ଦୁଇ ଗାଁ । କମ୍ପାନୀ ପକ୍ଷରୁ ପ୍ୟାକେଜ୍ ଘୋଷଣା ପରେ ପାନବରଜ ଭାଙ୍ଗିଛନ୍ତି ଗୋବିନ୍ଦପୁର ଗାଁ ଲୋକ । ପ୍ରଶାସନର ଉପସ୍ଥିତିରେ ଗୋବିନ୍ଦପୁର ଗାଁର ୬ ପରିବାର ନିଜ ନିଜ ପାନ ବରଜ ଭାଙ୍ଗି ଜେଏସଡବ୍ଲୁ ପ୍ରକଳ୍ପକୁ ସମର୍ଥନ କରିଛନ୍ତି । ଅନ୍ୟପଟେ ପ୍ରକଳ୍ପ ବିରୋଧରେ ଗାଁମୁଣ୍ଡରେ ବାଉଁଶରେ ତାଟି କରି ତାଲା ପକାଇ ଜଗିବସିଛନ୍ତି ଗ୍ରାମବାସୀ । ଛୋଟ ଛୋଟ ପିଲାଙ୍କୁ ଆଗରେ ରଖି ବିରୋଧ ଜାରି ରଖିଛନ୍ତି ଢ଼ିଙ୍କିଆ ଗାଁର ଲୋକେ ।

ଜେଏସଡବ୍ଲୁ ପ୍ରକଳ୍ପକୁ ନେଇ ଢ଼ିଙ୍କିଆ ପଞ୍ଚାୟତର ଲୋକେ ଦୁଇଭାଗରେ ଭାଗ ହୋଇଥିବାବେଳେ ପୋଲିସ ଫ୍ଲାଗମାର୍ଚ୍ଚ କରିଛି । ଗାଁ ଭିତରେ ପଶି ଆନ୍ଦୋଳନକାରୀ ଗ୍ରାମବାସୀଙ୍କୁ ଘଉଡାଇବା ପାଇଁ ଉଦ୍ୟମ କରିଛି । ଏପରିକି କେତେକ ଗ୍ରାମବାସୀଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ଯାହାଫଳରେ ପୁଣି ଥରେ ଚର୍ଚ୍ଚାକୁ ଆସିଛି ଢ଼ିଙ୍କିଆ ପଂଚାୟତ ।

ପୋସ୍କୋ କମ୍ପାନୀ ଯେତେବେଳେ ଏହି ସ୍ଥାନରେ କମ୍ପାନୀ ପ୍ରତିଷ୍ଠା ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ କରିଥିଲା ସେତେବେଳେ ଦେଖିବାକୁ ମିଳିଥିଲା ଏମିତି ଦୃଶ୍ୟ । ହେଲେ, ପୋସ୍କୋ ପ୍ରକଳ୍ପରୁ ଓହରିଯିବା ପରେ ଶାନ୍ତ ପଡିଥିଲା ଢ଼ିଙ୍କିଆ ଅଂଚଳ । ଯାହା ଏବେ ଆଉ ଥରେ ଅଶାନ୍ତ ହୋଇଛି ।