ବାଲେଶ୍ୱର ସୋମନାଥପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଅଭାବନୀୟ ଚିତ୍ର । ପ୍ରଧାନଶିକ୍ଷକ ସ୍କୁଲକୁ ମଦ ପିଇକି ଆସୁଥିବା ଅଭିଯୋଗ ।

163

କନକ ବ୍ୟୁରୋ: ଶିକ୍ଷାକ୍ଷେତ୍ରରେ ଉନ୍ନତି ପାଇଁ ସରକାର ଅନେକ ଯୋଜନା କରୁଛନ୍ତି । ୫-ଟିରେ ସ୍କୁଲର ରୂପାନ୍ତରୀକରଣ କରି ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ବାଲେଶ୍ୱର ସିମୁଳିଆ ବ୍ଲକରେ ଥିବା ସୋମନାଥପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଅଭାନୀୟ ଚିତ୍ର ଦେଖିବାକୁ ମିଳିଛି । ସ୍କୁଲର ପ୍ରଧାନଶିକ୍ଷକ ମଦ ପିଇ ସ୍କୁଲକୁ ଆସୁଥିବାର ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଗତକାଲି ପ୍ରଧାନ ଶିକ୍ଷକ କରୁଣାକର ସିଂ ମଦ ପିଇ ୧୦ଟା ୧୫ରେ ସ୍କୁଲକୁ ଆସି ସିଧା ଅଫିସରେ ଶୋଇପଡ଼ିଥିଲେ । ଅନ୍ୟପଟେ ସ୍କୁଲରେ କୌଣସି ରୋଷେଇ ସରଞ୍ଜାମ ନଥିବାରୁ ଜିନିଷ ଆଣିବାକୁ ଭୁଲିଯାଇଥିବା କହି ମଦ ନିଶାରେ ଶୋଇପଡ଼ିଥିଲେ ଶିକ୍ଷକ । ଆଉ ଏଥିପାଇଁ ବିଦ୍ୟାଳୟରେ ରୋଷେଇ ହୋଇପାରିନଥିଲା । ଗ୍ରାମବାସୀ ପିଲାଙ୍କୁ କିଛି ବିସ୍କୁଟ ଖାଇବାକୁ ଦେଇଥିଲେ । ରୋଷେୟାଙ୍କ କହିବା ମୁତାବିକ ଶିକ୍ଷକଙ୍କ ଅବହେଳା ଯୋଗୁଁ ସ୍କୁଲରେ ମଧ୍ୟାହ୍ନ ଭୋଜନ କେଉଁଦିନ ରନ୍ଧା ହେଉଛି ତ ପୁଣି କେଉଁଦିନ ରନ୍ଧା ହେଉନି । ସ୍କୁଲରେ ଶିକ୍ଷକ ମଦ ନିଶାରେ ଶୋଇ ରହୁଥିବା ବେଳେ ଛାତ୍ରଛାତ୍ରୀ ଏହାର ସୁଯୋଗ ନେଇ ଏଣେତେଣେ ବୁଲୁଛନ୍ତି । ତେବେ ଖବର ପାଇଁ ଏବିଓ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ଜଣାପଡ଼ିଛି ।