ଅବଧି ଶେଷ ହେବା ପରେ ବି ହୋଇପାରିଲାନି ଚେକ୍ ଡ୍ୟାମ ନିର୍ମାଣ । ନିମାପଡ଼ା ଧନୁଆ ନଦୀରେ ଅଧାରେ ଅଟକିଛି ଚେକ ଡ୍ୟାମ୍ ।

87

କନକ ବ୍ୟୁରୋ: ଅବଧି ଶେଷ ହେବା ପରେ ବି ହୋଇପାରିଲାନି ଚେକଡ୍ୟାମ ନିର୍ମାଣ । ବାଦ ବିବାଦ ଯୋଗୁ ଆଗେଇ ପାରୁନି କାର୍ଯ୍ୟ । ନିମାପଡ଼ା ବ୍ଲକ ଧନୁଆ ପଞ୍ଚାୟତର ଶୁନଗୋରଡ଼ି ଗାଁ ନିକଟରେ“ଧନୁଆ” ନଦୀ ଉପରେ ପ୍ରକଳ୍ପ ନିର୍ମାଣ ପାଇଁ ୩କୋଟି ଟଙ୍କାର ଅନୁଦାନ ମିଳିବା ପରେ ୨୦୨୧ ମସିହା ଡ଼ିସେମ୍ବର ମାସରେ ଗଣ ଶିକ୍ଷାମନ୍ତ୍ରୀ ସମୀର ଦାଶ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ପ୍ରକଳ୍ପ ସରିବାର ଅବଧି ଥିଲା ଜୁନ ୨୦୨୨ । କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇସାରିଛି । ହେଲେ ସ୍ଥାନ ନିରୂପଣକୁ ନେଇ ପ୍ରକଳ୍ପ ସପକ୍ଷବାଦୀ ଏବଂ ବିପକ୍ଷବାଦୀ ମୁହାଁମୁହିଁ ହେବା ଫଳରେ କାର୍ଯ୍ୟ ଅଧାପନ୍ତରିଆ ଅବସ୍ଥାରେ ରହିଛି । ଫଳରେ ନିଦ୍ଧାରିତ ସମୟରେ କାର୍ଯ୍ୟ ଶେଷ ହୋଇପାରିନାହିଁ ।

ନିମାପଡ଼ା ଅଞ୍ଚଳ ଦେଇ ପ୍ରବାହିତ ହୋଇଥିବା ଧନୁଆ ନଦୀରେ ବନ୍ୟା ଆସିବା ଫଳରେ ଚାଷୀମାନେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥାଆନ୍ତି । ବିଶେଷକରି ଧାନ, ପାନ ଏବଂ ପନିପରିବା ଫସଲ ସବୁ ନଷ୍ଟ ହୋଇଥାଏ । ବନ୍ୟାରେ ଖରିଫ ଧାନ ଏବଂ ପନିପରିବା ଫସଲ ନଷ୍ଟ ହେଉଥିବାରୁ ରବିଋତୁରେ ଧାନ, ଡାଲିଜତୀୟ ଏବଂ ପନିପରିବା ଚାଷ ପାଇଁ ଚାଷୀ ଆଗ୍ରହ ପ୍ରକାଶ କରିଥାଏ । ଖରାଦିନେ ପାଣିର ଅଭାବ ଯୋଗୁଁ ଚାଷ କାର୍ଯ୍ୟ ସଂପୂର୍ଣ୍ଣଭାବେ ପ୍ରଭାବିତ ହୋଇଥାଏ । ଚାଷୀମାଙ୍କ ମେରୁଦଣ୍ଡ ଭାଙ୍ଗିଯାଏ । ପ୍ରତିକୂଳ ପରିସ୍ଥିତିର ସମାଧାନ ନିମନ୍ତେ ଧନୁଆ ନଦୀ ଉପରେ ଚେକଡ୍ୟାମ ନିର୍ମାଣ ପାଇଁ ଚାଷୀକୂଳ ଦାବି କରିଆସୁଥିଲେ । ଦାବିକୁ ସମ୍ମାନ ଜଣାଇ ସରକାର ମଧ୍ୟ ଅନୁଦାନ ଯୋଗାଇ ଦେଇଥିଲେ । ଏହି ପ୍ରକଳ୍ପ ଦ୍ୱାରା ନିମାପଡ଼ା ଏବଂ ବାଲିପାଟଣା ବ୍ଲକର ପ୍ରାୟ ୧୦ରୁ ଅଧିକ ଗାଁର ପ୍ରାୟ ୧୦ ହଜାର ହେକ୍ଟର ଜମିକୁ ଜଳସେଚନ କରାଯାଇପାରନ୍ତା । ପ୍ରକଳ୍ପ କାର୍ଯ୍ୟ ଏବେ ଅଧାପନ୍ତରିଆ ଅବସ୍ଥାରେ ପଡ଼ିରହିଛି । କେବେ ସଂପୂର୍ଣ୍ଣ ହେବ ଉତ୍ତର କାହା ପାଖରେ ନାହିଁ ।