ପୁଣି ଭାରତ–ଚୀନ ସେନା ମୁହାଁମୁହିଁ । ଦୁଇ ଦେଶର ସେନା ଯବାନ ଆହତ, ମୋଦୀ ସରକାରଙ୍କ ଠାରୁ ଜବାବ ମାଗିଲେ ବିରୋଧୀ

222

କନକ ବ୍ୟୁରୋ : ଡୋକଲାମ୍, ଗଲୱାନ, ଏହାପରେ ତୱାଙ୍ଗ । ଚୀନ୍ ଛାଡ଼ୁନି ନିଜ ପ୍ରକୃତି । ସୀମାରେ ପୁଣି ଥରେ ମୁହାଁମୁହିଁ ଭାରତ-ଚୀନ ସେନା । ଅରୁଣାଚଳ ପ୍ରଦେଶ ସୀମାନ୍ତ, ଲାଇନ୍ ଅଫ ଆକଚୁଆଲ୍ କଂଟ୍ରୋଲ, ଏଲଏସିରେ ସାମ୍ନାସାମ୍ନି ହୋଇଛନ୍ତି ଦୁଇ ଦେଶର ଯବାନ । ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ-ଗତ ୯ ତାରିଖରେ ଏହି ଘଟଣା ଘଟିଥିଲା । ଏହି ମୁହାଁମୁହିଁ କାରଣରୁ ଏକାଧିକ ଯବାନ ଆହତ ହୋଇଛନ୍ତି । ଡ୍ରାଗନ ସେନାର ପ୍ରାୟ ୩ଶହ ଯବାନ ଅଚାନକ୍୍ ୯ ତାରିଖ ଆସି ନିୟନ୍ତ୍ରଣ ରେଖା ଅତିକ୍ରମ କରି ଗଣ୍ଡଗୋଳ କରିଥିଲେ । ଏହାର ମୁକାବିିଲା କରିଥିଲେ ଉପସ୍ଥିତ ଥିବା ଭାରତୀୟ ଯବାନ । ଏହି ଘଟଣାରେ ୬ ଜଣ ଭାରତୀୟ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ଆହତ ଯବାନଙ୍କୁ ଚିକିତ୍ସା ପାଇଁ ଗୌହାଟୀ ଅଣାଯାଇଛି ।

ଚୀନ ସେନାର ମଧ୍ୟ ୧୨ରୁ ଅଧିକ ଯବାନ ଆହତ ହୋଇଥିବା ଜଣାପଡ଼ିଛି । ୨୦୨୦ ଗଲୱାନ ଘାଟି ଘଟଣା ପରେ ପୁଣି ଏଭଳି ଏକ ଘଟଣା ନଜରକୁ ଆସିଛି । ଗଲୱାନ ଘାଟିରେ ହୋଇଥିବା ମୁହାଁମୁହିଁ ଘଟଣାରେ ଚୀନର ୪୫ ଜଣ ଯବାନ ନିହତ ହୋଇଥିଲେ । ଭାରତ ପକ୍ଷରୁ ମଧ୍ୟ ୨୦ ଯବାନ ସହିଦ ହୋଇଥିଲେ । ଏହି ଘଟଣା ପରଠାରୁ, ପ୍ରକୃତ ନିୟନ୍ତ୍ରଣ ରେଖାରେ ଦୁଇ ଦେଶର ସେନା ମଧ୍ୟରେ ଉତେଜନା ପୂର୍ଣ୍ଣ ସ୍ଥିତି ଲାଗି ରହିଛି । ତେବେ ବେଶ କିଛି ଦିନର ନିରବତା ପରେ ପୁଣିଥରେ ଚୀନ ନିଜର ଅସଲ ରୁପ ଦେଖାଇଛି । ସେପଟେ ସୀମାରେ ଚୀନ୍ ଓ ଭାରତୀୟ ସେନା ମୁହାଁମୁହିଁ ହେବା ପ୍ରସଙ୍ଗକୁ ନେଇ ମୋଦୀ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ ।