ସମ୍ବଲପୁରରେ ଆଇନଜୀବୀଙ୍କ ତୁମୁଳକାଣ୍ଡ ପରେ ବାର କାଉନସିଲ ଅଫ ଇଣ୍ଡିଆର କଡା କାର୍ଯ୍ୟାନୁଷ୍ଠାନ । ୨୯ ଓକିଲଙ୍କ ଲାଇସେନ୍ସ ୧୮ ମାସ ପାଇଁ ବାତିଲ

209

କନକ ବ୍ୟୁରୋ : ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ବେଞ୍ଚ୍ ଦାବିରେ ସମ୍ବଲପୁର ଜିଲ୍ଲା ବାର୍ ଆସୋସିଏନର ଆଇନଜୀବୀଙ୍କ ଆନ୍ଦୋଳନ ଉଗ୍ର ହେଉଥିବା ବେଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ । ଏ ନେଇ ସୁପ୍ରିମକୋର୍ଟଙ୍କ ଭତ୍ସନା ପରେ ୨୯ ଜଣ ଆଇନଜୀବୀଙ୍କ ଲାଇସେନ୍ସକୁ ସସପେଣ୍ଡ କରାଯାଇଛି । ୧୮ ମାସ ପାଇଁ ସେମାନେ ଆଉ ପ୍ରାକ୍ଟିସ୍ କରିପାରିବେ ନାହିଁ ।
ଆଇନଜୀବୀଙ୍କ ଆନ୍ଦୋଳନ ନେଇ ସୋମବାର ସୁପ୍ରିମକୋର୍ଟ କହିଥିଲେ ଯଦି ଓଡିଶା ପୁଲିସ ଆନ୍ଦୋଳନ ରୋକି ପାରୁନାହିଁ, ତେବେ କେନ୍ଦ୍ରୀୟ ସୁରକ୍ଷା ବଳକୁ ପଠାଯିବ । ବାର୍ କାଉନସିଲ୍ ଅଫ୍ ଇଣ୍ଡିଆକୁ ମଧ୍ୟ ପୁଣିଥରେ ଲାଇସେନ୍ସ ସସପେଣ୍ଡ କରିବା ପାଇଁ କହିଥିଲେ । ଏସବୁ ସତ୍ୱେ ସମ୍ବଲପୁରରେ ଓକିଲମାନେ ଜୋରଦାର ଆନ୍ଦୋଳନ କରିଥିଲେ । ପୁଲିସ ଓ ଆଇନଜୀବୀ ମୁହାଁମୁହିଁ ହୋଇଥିଲେ । ଅଫିସ ଭଙ୍ଗାରୁଜା ସହ ପୋଡ଼ାଜଳା କରିଥିଲେ ଆନ୍ଦୋଳନକାରୀ । ଏହା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବାର୍ କାଉନସିଲ ଅଫ୍ ଇଣ୍ଡିଆ । ବିଚାରପତିଙ୍କ ବିରୋଧରେ ଅପଶବ୍ଦ ପ୍ରୟୋଗ କରିବା, ପ୍ରତିକୃତି ପୋଡାଜଳା, କୋର୍ଟ କାର୍ଯ୍ୟରେ ବାଧା ସୃଷ୍ଟି କରିବା, କୋର୍ଟ ରୁମରେ ପଶି ଭଙ୍ଗାରୁଜା କରିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ୨୯ ଜଣ ଆଇନଜୀବୀଙ୍କ ଲାଇସେନ୍ସ ୧୮ ମାସ ପାଇଁ ସସ୍ପେଣ୍ଡ କରାଯାଇଛି ।