ସଂଘର୍ଷର ନିଆରା ଚିତ୍ର : ଭୁଲିଗଲା ପ୍ରଶାସନ, ପାହାଡ ଚିରି ରାସ୍ତା କରୁଛନ୍ତି ଗାଁ ଲୋକ; ପଞ୍ଚାୟତ ଅଫିସକୁ ଯୋଡିବାକୁ ୪ ଗାଁର ଯୁବକଙ୍କ ଉଦ୍ୟମ

81

କନକ ବ୍ୟୁରୋ : ପ୍ରତିଶ୍ରୁତି ଦେଇ ପ୍ରଶାସନ ଯେତେବେଳେ ଭୁଲି ଯାଏ, ଜନତା ସେତେବେଳେ କରିବେ କ’ଣ ? ଭାଗ୍ୟକୁ ଆଦରି ପଡ଼ି ରହିବେ, ନହେଲେ ଭାଗ୍ୟ ବଦଳାଇବା ପାଇଁ ଉଦ୍ୟମ କରିବେ । କେନ୍ଦୁଝର ହଦଗଡ଼ ପଞ୍ଚାୟତର ଲୋକ ଭାଗ୍ୟକୁ ଆଦରି ପଡ଼ିବା ରହିବା ବଦଳରେ ନିଜ ହାତରେ ନିଜର ଭାଗ୍ୟ ଲେଖିଛନ୍ତି । କାହାଣୀ ହେଉଛି ଠିକ୍ ଏମିତି । କେନ୍ଦୁଝର ଜିଲ୍ଲା ହଦଗଡ଼ ପଞ୍ଚାୟତର ୪ଖଣ୍ଡ ଗାଁର ପ୍ରାୟ ତିନି ହଜାର ଲୋକ ବଣପାହାଡ଼ ଘରେ ଘଞ୍ଚ ଜଙ୍ଗଲ ଭିତରେ ରୁହନ୍ତି ।

ଯିବା ଆସିବା ପାଇଁ ଏହି ଗାଁ ଗୁଡ଼ିକୁ ରାସ୍ତାଟିଏ ନାହିଁ । ଫଳରେ ପଞ୍ଚାୟତ କାର୍ଯ୍ୟାଳୟ ଯିବା ପାଇଁ ସାଳନ୍ଦୀ ଡ୍ୟାମ ଭିତରେ ଜଳପଥରେ ଯିବାକୁ ପଡ଼େ । ଏଥିପାଇଁ ହୁଲା ଡଙ୍ଗାରେ ୫ କିଲୋମିଟର ବାଟ ଜଳଯାତ୍ରା କରିବାକୁ ପଡ଼େ । ଆଉ ସ୍ଥଳ ପଥରେ ପଞ୍ଚାୟତ ଅଫିସକୁ ଯିବା ପାଇଁ ପ୍ରାୟ ୪୦ କିଲୋମିଟର ରାସ୍ତା ବୁଲିବାକୁ ପଡ଼େ । ଏହି ସବୁ ଗାଁକୁ ରାସ୍ତା ସଂଯୋଗ କରିବା ପାଇଁ ବର୍ଷ ବର୍ଷ ଧରି ଦାବି କରି ଆସୁଥିଲେ ଗାଁ ଲୋକ ।

ହେଲେ ପ୍ରଶାସନ ପ୍ରତିଶ୍ରୁତି ଦେଇ ଭୁଲିଗଲା । ଆଉ କୌଣସି ରାସ୍ତା ନପାଇ, ଗାଁ ଲୋକ ପାହାଡ଼କାଟି ରାସ୍ତା ନିର୍ମାଣ କରୁଛନ୍ତି । ୪ଟି ଗାଁର ଲୋକ ମିଳିତଭାବେ ଶ୍ରମଦାନ କରି ରାସ୍ତା ନିର୍ମାଣ କରୁଛନ୍ତି । ସପ୍ତାହ ଗୋଟିଏ ଦିନ ଶ୍ରମଦାନ କରି ସଂଘର୍ଷ ଜାରି ରଖିଛନ୍ତି । ଦୀର୍ଘ ମାସର ପରିଶ୍ରମ ପରେ ଏବେ ପାଦଚଲା ରାସ୍ତା ନିର୍ମାଣ ହୋଇସାରିଛି । ଏହି ରାସ୍ତାକୁ ଗାଡ଼ି ଚଳାଚଳ ରାସ୍ତା କରିବା ପାଇଁ ନିଶ୍ଚିତ କରିଛନ୍ତି ଦଲକି, ପିତାନାଉ, ରତ୍ନମରା, ଯୁଣପସି ଆଦି ୪ଟି ଗାଁର ଲୋକ ।