୬ ତାରିଖରେ ଘୂର୍ଣ୍ଣିବଳୟ ସମ୍ଭାବନା : ପରବର୍ତ୍ତୀ ୩୬ ଘଣ୍ଟାରେ ନେଇପାରେ ଲଘୁଚାପର ରୂପ; ବାତ୍ୟା ହେବ କି ନାହିଁ ସ୍ପଷ୍ଟ କରିନି ଆଇଏମଡି

391

କନକ ବ୍ୟୁରୋ : ୬ ତାରିଖରେ ଘୂର୍ଣ୍ଣିବଳୟ ଏବଂ ୮ ତାରିଖରୁ ଲଘୁଚାପ । ବଙ୍ଗୋପସାଗରରେ ଲଘୁଚାପ ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଥିବାବେଳେ, ଏହା ବାତ୍ୟାର ରୂପ ନେବ କି ନାହିଁ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ । ଲଘୁଚାପ ଅବପାତର ରୂପ ନେବା ପରେ, ଚିତ୍ର ସ୍ପଷ୍ଟ ହେବ, ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି । କିନ୍ତୁ ପୂର୍ବ ବର୍ଷ ଗୁଡିକର ରେକର୍ଡ ଅନୁସାରେ ଖରାଦିନିଆ ବାତ୍ୟାକୁ ନେଇ ଆଶଙ୍କା ବଢିବାରେ ଲାଗିଛି ।

ସେପଟେ ବାତ୍ୟା ସୃଷ୍ଟି ହେବା ନେଇ ପାଣିପାଗ ଆକଳନକାରୀ ସଂସ୍ଥା ୱିଣ୍ଡିର ଦୁଇଟି ମଡେଲ ପୂର୍ବାନୁମାନ କରିଛନ୍ତି। ମେ’ ୧୨ରୁ ୧୪ ମଧ୍ୟରେ   ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବା ନେଇ ଜିଏଫଏସ୍ ଓ ଇସିଏମ୍‌ଡବ୍ଲ୍ୟୁଏଫ୍ ମଡେଲ୍‌ ଆକଳନ କରିଛନ୍ତି । ମଡେଲ୍‌ଗୁଡ଼ିକର ଆକଳନକୁ ସମୀକ୍ଷା କରି ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କରୁଛନ୍ତି ଯେ ୬ରୁ ୭ ତାରିଖ ମଧ୍ୟରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ପରବର୍ତ୍ତୀ ୪୮ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବ । ଧୀରେ ଧୀରେ ଅବପାତ ଓ ଗଭୀର ଅବପାତରେ ପରିଣତ ହୋଇ ‌୧୨ ତାରିଖ ବେଳକୁ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ଅଧିକ । ତେବେ ସମ୍ଭାବ୍ୟ ବାତ୍ୟା ନେଇ ୱିଣ୍ଡିର ମଡେ଼ଲ କିଛି ନିର୍ଦ୍ଦିଷ୍ଟ ଟ୍ରାକ୍ ଦେଇନାହାନ୍ତି ।

ଯଦି ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହୁଏ, ତାହା କେଉଁ ଆଡ଼କୁ ଗତି କରିବ, ତାହା ମଧ୍ୟ ସ୍ପଷ୍ଟ କରାଯାଇନାହିଁ। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ବିଭିନ୍ନ ମଡେଲ୍‌ରୁ ଜଣାପଡ଼ୁଛି ଯେ ଆସନ୍ତା ୭ ତାରିଖରେ ଦକ୍ଷିଣ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହା ୮ ତାରିଖ ରାତି ଓ ୯ ତାରିଖ ସକାଳ ସୁଦ୍ଧା ଲଘୁଚାପ, ୧୦ ତାରିଖରେ ବାତ୍ୟାରେ ପରିଣତ ହୋଇପାରେ । ଠିକ୍‌ ସେହି ସମୟରେ, ଘୂର୍ଣ୍ଣବଳୟର ଦକ୍ଷିଣରେ ବିଷୁବରେଖା ତଳେ(ଦକ୍ଷିଣରେ) ଆଉ ଏକ ସିଷ୍ଟମ ସୃଷ୍ଟି ହେତୁ ପ୍ରାରମ୍ଭିକ ତିନି ଦିନ ଅର୍ଥାତ୍‌ ୯ ତାରିଖ ପର୍ଯ୍ୟନ୍ତ ସିଷ୍ଟମ ଶକ୍ତିଶାଳୀ ହେବାରେ ବିଳମ୍ବ ହୋଇପାରେ । ସମ୍ଭାବ୍ୟ ବାତ୍ୟା ସୃଷ୍ଟି ହେବା ପରେ ଏହାର ଗତିପଥ ଓ ତୀବ୍ରତା ବିଷୟରେ ଅଧିକ କହିହେବ । ଏଣୁ ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟବାସୀ ଭୟଭୀତ ହେବାର କୌଣସି କାରଣ ନାହିଁ ।