କଣ୍ଟାବାଞ୍ଝି ପୌର ପରିଷଦରେ ଅସୁରକ୍ଷିତ ଗାଇ-ଗୋରୁ: ଗାଇଙ୍କ ଉପରେ ହେଉଛି ଏସିଡ୍ ମାଡ

98

କନକ ବ୍ୟୁରୋ: ଦିନକୁ ଦିନ ଲୋକଙ୍କ ମାନସିକ ସ୍ଥିତି ନିମ୍ନସ୍ତରକୁ ଚାଲି ଯାଉଛି । ଯଦିଓ ସମସ୍ତେ ସମାନ ନୁହଁନ୍ତି, ତଥାପି କିଛି ଲୋକେ ନିର୍ଦ୍ଦୟ ହୋଇଯାଉଛନ୍ତି । ପୂର୍ବରୁ ବୁଲା କୁକୁରଙ୍କ ଉପରକୁ ଗରମ ପାଣି ଫିଙ୍ଗିବା ସହ ମାଡ ମାରିବା ଘଟଣା ଗଣମାଧ୍ୟମ ଜରିଆରେ ଆପଣମାନେ ଦେଖିଛନ୍ତି । ହେଲେ ଏବେ ଦେଖନ୍ତୁ କିଭଳି ବୁଲା ଗାଇଙ୍କ ଉପରକୁ ଏସିଡ୍ ମାଡ ହୋଇଛି । ବଲାଙ୍ଗୀର ଜିଲ୍ଲା କଂଟାବାଞ୍ଜି ସହରରେ ଅନେକ ଦିନ ହେଲା ବୁଲା ଗାଇ ଓ ଷଣ୍ଢଙ୍କ ଉପରକୁ ଏସିଡ୍ ଫିଙ୍ଗା ହୋଇଛି ।

ଟାଙ୍ଗିଆରେ ମଧ୍ୟ କେହି ଅସାମାଜିକ ବ୍ୟକ୍ତି ଆକ୍ରମଣ କରିଛନ୍ତି । ଗାଇ ଗୁଡିକ ଅସୁସ୍ଥ ଅବସ୍ଥାରେ ସହରରେ ବୁଲୁଥିବା ଦେଖିବାକୁ ମିଳୁଛି । ସହର ଭିତରେ ଏଭଳି ଏସିଡ୍ ମାଡ ଘଟଣାକୁ ନିନ୍ଦା କରିଛନ୍ତି କଂଟାବାଞ୍ଜି ଏନ୍ଏସି ଅଧ୍ୟକ୍ଷ । ଏନ୍ଏସି ପକ୍ଷରୁ ଆଗାମୀ ଦିନରେ ଏହାର ପ୍ରତିକାର ପାଇଁ ପଦକ୍ଷେପ ନିଆଯିବ । ଏବଂ ଯେଉଁମାନେ ଏଭଳି କାଣ୍ଡ କରୁଛନ୍ତି ସେମାନଙ୍କ ବିରୋଧରେ ଆଇନ୍ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏନ୍ଏସି ଅଧ୍ୟକ୍ଷ ବରିୟାମ୍ ସିଂ ସାଲୁଜା କହିଛନ୍ତି । ସେପଟେ ଜଣେ ସ୍ଥାନୀୟ ଆଇନ୍ଜୀବୀ ଆଉ ଏକ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି, କଂଟାବାଞ୍ଜିରେ କିଛି ଲୋକ ମନ୍ଦ ଉଦେଶ୍ୟ ରଖି ଗାଇ-ଗୋରୁଙ୍କ ଉପରକୁ ଏସିଡ୍ ପକାଇବା ସହ ଗୋ-ହତ୍ୟା ମଧ୍ୟ କରୁଛନ୍ତି ।