୨୫ରେ ଶପଥ ନେବେ ଦ୍ରୌପଦୀ ମୁର୍ମୁ । ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତିଙ୍କୁ ପାଇବ ଦେଶ । ଶପଥ ସମାରୋହରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ।

143

କନକ ବ୍ୟୁରୋ: ୨୦୦୭ ଜୁଲାଇ ୨୫- ପ୍ରତିଭା ପାଟିଲଙ୍କ ଶପଥ, ୨୦୧୨ ଜୁଲାଇ ୨୫- ପ୍ରଣବ ମୁଖାର୍ଜୀଙ୍କ ଶପଥ, ୨୦୧୭ ଜୁଲାଇ ୨୫- ରାମନାଥ କୋବିନ୍ଦଙ୍କ ଶପଥ, ୨୦୨୨ ଜୁଲାଇ ୨୫- ଦ୍ରୌପଦୀ ମୁର୍ମୁଙ୍କୁ ଅପେକ୍ଷା । ପରମ୍ପରା ଅନୁସାରେ ଆଗାମୀ ୨୫ ତାରିଖରେ ପାର୍ଲାମେଣ୍ଟର ସେଣ୍ଟ୍ରାଲ ହଲରେ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଦ୍ରୌପଦୀ ମୁର୍ମୁ । ଏଥିପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । କେଉଁମାନେ ନୂଆ ରାଷ୍ଟ୍ରପତିଙ୍କ ଶପଥ ସମାରୋହରେ ଯୋଗଦେବେ ସେନେଇ ସୂଚୀ ସ୍ଥିର ହେଉଛି ।

ଦ୍ରୌପଦୀ ମୁର୍ମୁ… ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି । ସ୍ୱାଧୀନତା ପରେ ଜନ୍ମ ହୋଇଥିବା ପ୍ରଥମ ରାଷ୍ଟ୍ରପତି । ସର୍ବକନିଷ୍ଠ, ଓଡିଶାରୁ ପ୍ରଥମ ଏବଂ ଦେଶର ଦ୍ୱିତୀୟ ମହିଳା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେହିପରି ବିଜେପି ପୃଷ୍ଠଭୂମିରୁ ଆସିଥିବା ଦ୍ୱିତୀୟ ବ୍ୟକ୍ତି ଯିଏ ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ବସିବାକୁ ଯାଉଛନ୍ତି । ତାଙ୍କ ଶପଥ ସମାରୋହକୁ ନିକଟ ସଂପର୍କୀୟଙ୍କୁ ବି ଆମନ୍ତ୍ରଣ କରାଯାଇଛି ।

ରାଇରଙ୍ଗପୁରରୁ ରାଇସିନା ହିଲ ଯାଇ ଭାରତୀୟ ଗଣତାନ୍ତ୍ରିକ ଇତିହାସରେ ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି ଦ୍ରୌପଦୀ ମୁର୍ମୁ । ମିଳିତ ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ବିପୁଳ ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି । ବଡକଥା ହେଉଛି ଏନଡିଏ ବାହାରୁ ମଧ୍ୟ ତାଙ୍କୁ ସମର୍ଥନ ମିଳିଛି । ୬୪ ବର୍ଷୀୟ ଦ୍ରୌପଦୀ ମୁର୍ମୁଙ୍କୁ ମିଳିଛି ୬୪ ପ୍ରତିଶତ ଭୋଟ୍ । ମୁର୍ମୁଙ୍କୁ ୨ ହଜାର ୮୨୪ଟି ପ୍ରଥମ ପସନ୍ଦ ଭୋଟ୍ ମିଳିଥିଲା, ଯାହାର ମୂଲ୍ୟ ୬ ଲକ୍ଷ ୭୬ ହଜାର ୮୦୩ । ଗୁରୁବାର ସଂଧ୍ୟା ସୁଦ୍ଧା ନିର୍ବାଚନ ଫଳାଫଳ ଆସିଯାଇଥିବା ବେଳେ ଓଡିଶାର ଏହି ଝିଅଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଉପ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ, ବିଜେପି ଶାସିତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯାଇ ଦିଲ୍ଲୀରେ ଦୌପଦୀ ମୁର୍ମୁଙ୍କୁ ଭେଟି ଶୁଭେଛା ଜଣାଇଛନ୍ତି ।

ଦ୍ରୌପଦୀ ମୁର୍ମୁଙ୍କ ଗାଁଠାରୁ ଆରମ୍ଭ କରି ଦିଲ୍ଲୀ ଯାଏଁ ଦୁଇଦିନ ହେଲା ଚାଲିଛି ବିଜୟ ଉତ୍ସବ । ସେପଟେ ବିଭିନ୍ନ ରାଜ୍ୟର ରାଜ୍ୟପାଳ, କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀମାନେ ଦ୍ରୌପଦୀଙ୍କ ଉଦ୍ଦେଶ୍ୟରେ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି । ଏପରିକି ବିରୋଧୀ ଦଳର ନେତାମାନେ ମଧ୍ୟ ବିଜୟ ପାଇଁ ବଧେଇ ଜଣାଇଛନ୍ତି ।

ଦ୍ରୌପଦୀ ମୁର୍ମୁଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାବାସୀଙ୍କ ତରଫରୁ ଅଭିନନ୍ଦନ ଜଣାଇଛନ୍ତି ନବୀନ । ରାଷ୍ଟ୍ରପତି ନିର୍ବାଚନରେ ସଫଳତା ପାଇଁ ରାଜ୍ୟବାସୀ ଗର୍ବିତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଜୁଲାଇ ୨୫ରେ ଦ୍ରୌପଦୀ ଶପଥ ଗ୍ରହଣ ସମାରୋହରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ ମିଳିଛି ଏବଂ ସେ ଶନିବାରଠାରୁ ୪ ଦିନିଆ ନୂଆଦିଲ୍ଲୀ ଗସ୍ତ କରିବେ ବୋଲି ଜଣାପଡିଛି । ଦ୍ରୌପଦୀ ମୁର୍ମୁଙ୍କ ପାଇଁ ସାରାଦେଶ ଉତ୍ସବ ମୁଖର । ଆଉ ସେ ଶିକ୍ଷକତା ଆରମ୍ଭ କରିଥିବା ସ୍କୁଲରେ ବି ଚାଲିଛି ବିଜୟ ଉତ୍ସବ । ଅରବିନ୍ଦ ଇଂଟିଗ୍ରାଲ ଏଜୁକେସନ୍ ଓ ରିସର୍ଚ୍ଚ ସେଂଟରରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ସେପଟେ ରାଇରଙ୍ଗପୁରରେ ପାରମ୍ପାରିକ ନାଚଗୀତ ମାଧ୍ୟମରେ ଦ୍ରୌପଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଲୋକେ ।