ଶ୍ୱଶୁର ଘର ଆଗରେ ବୋହୂର ଧାରଣା । ଗଞ୍ଜାମରେ ଧାରଣା ଦେଲେ ଗୌହାଟୀର ଯୁବତୀ

240

କନକ ବ୍ୟୁରୋ: ବୋହୂର ମାନ୍ୟତା ଦାବିରେ ପୁଣି ଜଣେ ଯୁବତୀଙ୍କ ଧାରଣା । ଗଞ୍ଜାମ ଦିଗପହଣ୍ଡି ବ୍ଲକ୍ ଘୋଡାପଲାଣ ଗାଁରୁ ଆସିଛି ଏଭଳି ଖବର । ପ୍ରେମିକ ଘର ଆଗରେ ଧାରଣାରେ ବସିଛନ୍ତି ଯୁବତୀ ଇଗନେଶ ବଘୱା । ଇଗନେଶଙ୍କ ଘର ଆସାମ ଗୌହାଟିରେ । ଦିଗପହଣ୍ଡିର ସିମାଞ୍ଚଳ ଗୌଡଙ୍କର ଦ୍ୱିତୀୟ ପୁଅ ସଦାନନ୍ଦଙ୍କୁ ବିବାହ ସେ ବିହାର କରିଥିବା ଦାବି କରୁଛନ୍ତି । ଏହାସହ ତାଙ୍କୁ ସ୍ତ୍ରୀର ମାନ୍ୟତା ଦିଆଯାଉ ବୋଲି ପ୍ରେମିକ ଘର ଆଗରେ ଧାରଣାରେ ବସିଛନ୍ତି ।

ଇଗନେଶଙ୍କ କହିବା ଅନୁସାରେ ୨୦୨୧ ମସିହା ମୁମ୍ବାଇରେ ସେ ସଦାନନ୍ଦଙ୍କୁ ପ୍ରେମ ବିବାହ କରିଥିଲେ । ମୁମ୍ବାଇରେ ଉଭୟ ଏକାଠି ବି ରହୁଥିଲେ । ହେଲେ ଦୁଇ ତିନି ମାସ ହେବ ସଦାନନ୍ଦ ତାଙ୍କୁ ଛାଡି ପଳାଇ ଆସିଥିଲେ ବୋଲି ଇଗନେଶ କହିଛନ୍ତି । ଅନ୍ୟ ଏକ ସ୍ଥାନରେ ସଦାନନ୍ଦ ବିବାହ କରୁଥିବା ଖବର ପାଇବା ପରେ ଇଗନେଶ ଏବେ ଦିଗପହଣ୍ଡି ସ୍ଥିତ ପ୍ରେମିକ ଘର ବାହାରେ ବୋହୂ ମାନ୍ୟତା ଦାବିରେ ଧାରଣାରେ ବସିଛନ୍ତି । ସେପଟେ ଇଗନେଶଙ୍କ ବିଷୟରେ ଖବର ପାଇ ସଦାନନ୍ଦଙ୍କ ଘରଲୋକେ ଘର ବାହାରେ ତାଲା ପକାଇ କୁଆଡେ ଚାଲିଯାଇଥିବା ଅଭିଯୋଗ ହୋଇଛି ।

ଇଗନେଶ ପ୍ରଥମେ ଟ୍ରେନ ଯୋଗେ ବ୍ରହ୍ମପୁରରେ ପହଞ୍ଚିଥିଲେ । ଏହାପରେ ସ୍ଥାନୀୟ ଲୋକଙ୍କ ସହ ଯୋଗାଯୋଗ କରି ସଦାନନ୍ଦଙ୍କ ଘର ପହଞ୍ଚିଥିଲେ । ଏନେଇ ଶୁକ୍ରବାର ଦିଗପହଣ୍ଡି ଥାନାରେ ସେ ଏକ ଏତଲା ଦେଇଛନ୍ତି । ତେବେ ଘଟଣାରେ ସଦାନନ୍ଦଙ୍କ କି ତାଙ୍କ ଘର ଲୋକଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।