କେନ୍ଦୁଝରରେ ଯୁଦ୍ଧ ବିମାନ ଦେଖୁଛନ୍ତି ଲୋକେ: ସାହାରପଡା ବିଲ୍ଲା ଛକରେ ପ୍ରଦର୍ଶିତ ହେଉଛି ମିଗ୍-୨୩ ଯୁଦ୍ଧ ବିମାନ 

129

କନକ ବ୍ୟୁରୋ: କେନ୍ଦୁଝର ଜିଲ୍ଲା ବିଲ୍ଲା ଛକରେ ପ୍ରଦର୍ଶିତ ହେବ ମିଗ-୨୩ ଯୁଦ୍ଧ ବିମାନ କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାହାରପଡା ବ୍ଲକ ବିଲ୍ଲା ଛକରେ ଭାରତୀୟ ବାୟୁସେନାରେ ନିୟୋଜିତ ଏକ ଇଇଞ୍ଜିନ ବିହୀନ ମିଗ ୨୩ ବିମାନକୁ ପ୍ରଦର୍ଶନ ନିମନ୍ତେ ରଖାଯିବ । ବିମାନଟିର ଲମ୍ବ ୧୮ ମିଟର ଏବଂ ଚଉଡା ୧୪ ମିଟର । ଏହି ପରାକ୍ରମୀ ବିମାନଟି ୧୯୮୦ ମସିହାରେ ବାୟୁସେନାରେ କାର୍ୟ୍ୟକ୍ଷମ ହୋଇଥିଲା ୧୯୯୯ ମସିହା କାରଗିଲ ଯୁଦ୍ଧ, ୨୦୦୪ ମସିହା ଅପରେସନ ପରାକ୍ରମ ଏବଂ ବାଲାକୋଟ ସର୍ଜିକାଲ ଷ୍ଟ୍ରାଇକ ଭଳି ଅପରେସନ ସଫଳ କରିବାରେ ଏହି ବିମାନଟିର ଭୂମିକା ରହିଥିଲା । ବିମାନଟି ପହଁଚିବା ପରେ ଏହାକୁ ଯୋଡିବା ପାଇଁ ଇଂଜିନିୟର ଟିମ ଲାଗିଥିବା ବେଳେ ଆଉ ସପ୍ତାହେ ଲାଗିବ ବୋଲି ପ୍ରକାଶ କରିଛନ୍ତି । ସାହାରପଡା ବ୍ଲକ ଖଜିରାପାଟ ପଂଚାୟତର ଗଦଗଦି ଗ୍ରାମର ଡମ୍ବରୁଧର ମହାନ୍ତଙ୍କ ପୁଅ ଡି. ଅମ୍ବରେଶ ବାୟୁ ସେନାର ଜଣେ ଅଧିକାରୀ ।

ନିଜ ଗାଁ ଅଞ୍ଚଳରେ ଏକ ଯୁଦ୍ଧ ବିମାନ ଆଣି ରଖିବାକୁ ଇଛା ଥିଲା । ୨୦୧୬ ମସିହାରେ ଯୁଦ୍ଧ ବିମାନ ଗୁଡିକୁ ବିଭିନ୍ନ ଗ୍ରାମାଞ୍ଚଳରେ ପ୍ରଦର୍ଶନ ନିମନ୍ତେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ସମ୍ପର୍କରେ ସେ ଅବଗତ ହୋଇଥିଲେ । ଏହା ପରେ ତାଙ୍କ ପଞ୍ଚାୟତର ସରପଞ୍ଚ ଗୀତା ରାଣୀ ନାୟକଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଥିଲେ । ସରପଞ୍ଚ ମଧ୍ୟ ୨୦୧୭ ମସିହାରେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଖଜିରାପାଟ ପଞ୍ଚାୟତର ବିଲ୍ଲା ଛକରେ ଏକ ସେବା ନିବୃତ ଯୁଦ୍ଧ ଜାହାଜ ରଖିବା ପାଇଁ ଅନୁରୋଧ କରିଥିଲେ । ସରପଞ୍ଚଙ୍କ ଚିଠି ପାଇ ୨୦୧୯ ମସିହାରେ ବାୟୁସେନା ପକ୍ଷରୁ ଏଠାରେ ମିଗ-୨୩ ଯୁଦ୍ଧ ବିମାନ ଯୋଗାଇ ଦେବାକୁ ନିଷ୍ପତି ହୋଇଥିଲା । ସେତେବେଳେ କରୋନା କାରଣରୁ ବିମାନଟି ଆସିପାରିନଥିଲା । କିଛିଦିନ ତଳେ ଯୋଦ୍ଧପୁରରୁ ଏହି ବିମାନଟି ୩ଟି ଟ୍ରଲର ଗାଡିରେ ଏଠାକୁ ଅଣାଯାଇଛି । ଏଠାରେ ଇଂଜିନିୟର ଟିମ ଏହି ବିମାନର ଖଣ୍ଡଖଣ୍ଡ ଅଂଶ ଯୋଡିବାରେ ଲାଗିଛନ୍ତି । ସମ୍ପୂର୍ଣ୍ଣ ଯୋଡ଼ା ହେବା ପରେ ଏହା ଲୋକଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ ହେବ । ଏହାକୁ ଦେଖି ଯୁବ ଗୋଷ୍ଠୀ ସୈନ୍ୟ ବିଭାଗ ପ୍ରତି ଆକର୍ଷିତ ହେବେ ବୋଲି ଆଶା କରାଯାଉଛି । ଏହି ବିମାନ ଦେଖିବାକୁ ଲୋକଙ୍କ ଭିଡ଼ ଜମିଛି ।