ମଠ ଭାଙ୍ଗିବା ପରେ ଶ୍ରୀମନ୍ଦିରର ଐତିହ୍ୟ ଦୋଳବେଦୀ ଉପରେ ନଜର। ପାଚେରୀ ଉପରେ ବୁଲିଲା ବୁଲଡୋଜର।

237

କନକ ବ୍ୟୁରୋ:  ମଠ ଭାଙ୍ଗିଲା, ଏବେ ଜଗନ୍ନାଥଙ୍କ ଦୋଳବେଦୀ ଉପରେ ନଜର। ଭାଙ୍ଗିଦେଲେ  ପ୍ରାଚୀନ ଦୋଳବେଦୀ ପାଚେରୀ । ଶ୍ରୀମନ୍ଦିର ଐତିହ୍ୟ ବିକାଶ ନାଁରେ  ଶ୍ରୀମନ୍ଦିରର ଐତିହ୍ୟସମ୍ପନ୍ନ ଦୋଳବେଦୀ ପାଚେରୀକୁ ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ ହୋଇଛି ।  ଉତ୍ତର-ପୂର୍ବ କୋଣରେ ଥିବା ଏହି ପାଚେରୀକୁ  ମେସିନ ଲଗାଇ ଭାଙ୍ଗିଦିଆଯାଇଛି । କୁହାଯାଏ ଏଥିରେ ଶହ ଶହ ବର୍ଷର ପଥରମୂର୍ତି ରହିଥିଲା । ଏପରିକି  ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳାର କାରୁକାର୍ଯ୍ୟ ବି ସ୍ଥାନ ପାଇଥିଲା । ପ୍ରଶାସନର ଏଭଳି ପଦକ୍ଷେପକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । କାହା ଉପସ୍ଥିତିରେ ଏହି ଐତିହ୍ୟସମ୍ପନ୍ନ ଦୋଳବେଦୀ ପାଚେରୀକୁ ଭଙ୍ଗାଗଲା ତାକୁ ନେଇ ପ୍ରଶ୍ନ ଉଠିଛି  ।

ଦୋଳପୂର୍ଣ୍ଣିମାରେ ମହାପ୍ରଭୁ ଦୋଳବେଦୀକୁ ଆସି ଫଗୁ ଖେଳିଥାନ୍ତି । ଏହାଛଡା ଶ୍ରୀମନ୍ଦିରର ଏଭଳି ଅନେକ ନୀତିକାନ୍ତି ରହିଛି ଯାହା ଏଠାରେ ସମ୍ପର୍ଣ୍ଣ ହୋଇଥାଏ । ଏଠାରେ ଅନେକ ବିରଳ ପଥର ମୂର୍ତ୍ତି ରହିଛି । ଛୋଟବଡ ଦେବାଦେବୀଙ୍କ ମୂର୍ତି ବି ଅଛି । ଏହି ମୂର୍ତି କୁଆଡେ ଗଲା ତାକୁ ନେଇ ପ୍ରଶ୍ନ ଉଠିଛି ।  ତେବେ ଉନ୍ନୟନ ପ୍ରଶାସକ କହିଛନ୍ତି, ଐତିହ୍ୟସମ୍ପନ୍ନ ମୂର୍ତି ସବୁ କଢାଯାଇଛି । ପାଚେରୀରରେ ଥିବା ୫୫ଟି ମୂର୍ତିକୁ କଢାଯାଇ ସୁରକ୍ଷିତ ରଖାଯାଇଛି ।  ପାଚେରୀରେ ଥିବା ମୂର୍ତ୍ତି ସମ୍ପର୍କରେ ଯେଉଁ ସବୁ ଆଲୋଚନା ହେଉଛି ତାହା ଠିକ ନୁହେଁ । ପୂର୍ବରୁ ଶ୍ରୀମନ୍ଦିର ଐତିହ୍ୟ ବିକାଶ ନାଁରେ ଏକାଧିକ ମଠକୁ ଭଙ୍ଗାଯାଇଥିଲା । ଏବେ ପ୍ରାଚୀନ ଦୋଳବେଦୀ ଭଙ୍ଗାଯିବାକୁ ଅନେକ ସହଜରେ ଗ୍ରହଣ କରିପାରୁନାହାନ୍ତି ।