ହାତୀକୁ ହତ୍ୟା କରି ପୋଡି଼ ଦେବା ଘଟଣା: ବହିଷ୍କୃତ କର୍ମଚାରୀଙ୍କ ନାଁରେ ହୋଇନି ମାମଲା।

64

କନକ ବ୍ୟୁରୋ: ଶିମିଳିପାଳ ଅଭୟାରଣ୍ୟରେ ଦନ୍ତାହାତୀକୁ ହତ୍ୟା କରି ପୋଡିଦେବା ମାମଲାରେ ଶୁଣାଣି କରିଛନ୍ତି ହାଇକୋର୍ଟ । ହାତୀମୃତ୍ୟୁକୁ ରୋକିବାରେ ବିଫଳ ହୋଇଥିବାରୁ ପିସିସିଏଫ ଓ ଜେଟିଏଫଙ୍କୁ କୋର୍ଟ ଭର୍ସନା କରିଛନ୍ତି । ଏପରିକି ଶିମିଳିପାଳ ହାତୀ ଶିକାର ଘଟଣାରେ ନିଲମ୍ବିତ କର୍ମଚାରୀଙ୍କ ବିରୋଧରେ କାହିଁକି ଆଜିଯାଏଁ ଏତଲା ହୋଇନାହିଁ ବୋଲି କୋର୍ଟ ପ୍ରଶ୍ନ କରିଥିଲେ । ଆଗାମୀ ୨୨ ତାରିଖରେ ମାମଲାର ପରବର୍ତୀ ଶୁଣାଣି ହେବ, ଏବଂ ସେତେବେଳକୁ ଏହି କର୍ମଚାରୀଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଜଣାଇବା ପାଇଁ କୋର୍ଟ କହିଛନ୍ତି ।

ବଡକଥା ହେଉଛି ପିସିସିଏଫ କୋର୍ଟରେ ସ୍ୱୀକାର କରିଛନ୍ତି ଯେ, ଶିମିଳିପାଳ ଜାତୀୟ ଅଭୟାରଣ୍ୟରେ ହାତୀ ଶିକାର ପରେ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିଥିଲେ ବନ କର୍ମଚାରୀ । ଏନେଇ ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ କହିଛନ୍ତି କ୍ଷେତ୍ର ନିର୍ଦ୍ଦେଶକ ଟି. ଅଶୋକ କୁମାର । ଘଟଣାର ତଦନ୍ତ ପାଇଁ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ କାର୍ଯ୍ୟାଳୟ ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ଟିମ୍ ମୟୁରଭଂଜ ଯିବେ । ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିଥିବା ୩ ବନ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି ।

ଗତ ୭ତାରିଖରେ ଶିମିଳିପାଳ ଅଭୟାରଣ୍ୟର ଜେନାବିଲ ରେଞ୍ଜରେ ଏକ ବିରାଟ ଦନ୍ତାହାତୀକୁ ମାରି ଦାନ୍ତ କାଟି ନେଇଥିଲେ ଶିକାରୀ । ଆଉ ଅଭିଯୁକ୍ତଙ୍କୁ ଧରିବା ବଦଳରେ ଘଟଣାକୁ ଚାପିଦେବାକୁ ଉଦ୍ୟମ କରିଥିଲେ ବନ କର୍ମଚାରୀ । ମୃତହାତୀକୁ ପୋଡି ତା ଶରୀରକୁ ନଦୀରେ ଭସାଇ ଦେଇଥିଲେ । ଶିମିଳିପାଳ ବନବାସୀ ଏସଂପର୍କରେ ଅଭିଯୋଗ କରିବା ପରେ ଏହି ସାଂଘାତିକ ଘଟଣା ସାମ୍ନାକୁ ଆସିଥିଲା ।