ଭୋକ ମେଣ୍ଟାଇବା ପାଇଁ ଇଟା ଭାଟି ଠିକଣା । ଅଣ୍ଡାଳି ଅଣ୍ଡାଳି ଇଟା ଗଢୁଛନ୍ତି ଦୁନିଆ ଦେଖିପାରୁନଥିବା ମହିଳା ।

95

କନକ ବ୍ୟୁରୋ: ସେ ଅକ୍ଷମ ହୋଇ ବି ସକ୍ଷମ। ଦୃଷ୍ଟିହୀନ ମଣିଷ ଦେଖାଉଛନ୍ତି ସମାଜ ରେ ଆତ୍ମନିର୍ଭରଶୀଳ ର ମାର୍ଗ। ପେଟ ର ଭୋକ ଆଗରେ ସବୁକିଛି ହାର ମାନେ। ସେ ସକ୍ଷମ ମଣିଷ ହେଉ ବା ଭିନ୍ନକ୍ଷମ। ଯେତେବେଳେ ବଞ୍ଚିବା ପାଇଁ ସଂଘର୍ଷ ର କଥା ପଡ଼େ ସେତେବେଳେ ଜୀବନ କୁ ବାଜି ଲଗାଇ କାମ କରିବାକୁ ବାଧ୍ୟ ହୁଏ ମଣିଷ। ଏମିତି ଏକ ଦୃଷ୍ଟିହୀନ ମହିଳାଙ୍କୁ ଖୋଜି ପାଇଥିଲା ଆମ କନକ ନିଉଜ୍।

ଦଇବ ଦେଇଥିବା ଦୁଃଖକୁ ବଳ ବୋଲି ଭାବି ନେଇଛନ୍ତି ଏହି ମହିଳା । ଭୋକ ପାଇଁ ଇଟା ଭାଟିକୁ କରିଛନ୍ତି ଭରସା । ବିଧାତା ଅକାଳରେ ଦୁଇ ପୁଅକୁ ଛଡେଇ ନେବା ସହ ମାଆ ଆଖିରୁ ଜ୍ୟୋତିକୁ ବି ଲିଭେଇ ଦେଇଛି । ତଥାପି ନବରଙ୍ଗପୁର ଉମରକୋଟ୍ ବ୍ଲକ ଅଧିକାରୀଗୁଡା ଗାଁର ଲକ୍ଷ୍ମୀବାଇ ଚନ୍ଦ୍ରକାରାଙ୍କୁ ହରେଇ ପାରିନାହିଁ ଦୁଃସମୟ । ବରଂ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ଇଟା ଗଢି ବଂଚିବା ପାଇଁ ଆତ୍ମବଳ ଯୋଗାଇ ଦେଇଛି ।

ନହେଲେ କଣ ଏମିତି ଅଣ୍ଡାଳି ଅଣ୍ଡାଳି ଇଟ୍ଟା ପକାଇ ପାରିଥାନ୍ତେ ଲକ୍ଷ୍ମୀବାଇ । ଦିବ୍ୟାଙ୍ଗ ହୋଇବି ସ୍ୱାମୀଙ୍କ ସହ ମିଶି ଇଟା ଗଢି ଦୁଇ ନାତୁଣୀ ଓ ଗୋଟିଏ ନାତି ମୁହଁରେ ଆହାର ଦେଉଛନ୍ତି । ଲକ୍ଷ୍ମୀବାଇ ହଜାରେ ଇଟା ଗଢିଲେ ୭୫୦ ଟଙ୍କା ପାଆନ୍ତି । ଆଉ ଘର ଠାରୁ ଇଟା ଭାଟିର ଦୂରତା ଅଧିକ ହେଉଥିବାରୁ ଭାଟି ନିକଟରେ ହୋଇଥିବା ଅସ୍ଥାୟୀ କୁଡିଆରେ ରହୁଛନ୍ତି ।

ପାରିବାଶ୍ୱର୍କ ପରିସ୍ଥିତି ଶାରିରୀକ ଅକ୍ଷମ କରି ଦେଇଥିଲେ ବି, ମହିଳାଙ୍କ ମନରେ ଥିବା ଅଦମ୍ୟ ଇଚ୍ଛାଶକ୍ତି ତାଙ୍କୁ ସକ୍ଷମ କରିଛି । ଆଉ ବର୍ତମାନର ସ୍ଥିତି ଯେତିକି କଷ୍ଟ ଦାୟକ, ସେତିକି ଦୁଃଖ ଦାୟକ ତାଙ୍କ ଜୀବନ ଯାତ୍ରା । ଆଉ ଏହେଉଛି ନବରଙ୍ଗପୁର ଲକ୍ଷ୍ମୀବାଇଙ୍କ ଅକୁହା ବେଦନାର ଆତ୍ମନିର୍ଭରଶୀଳ କାହାଣୀ ।