ଅପରାହ୍ନରେ ରାଜ୍ୟ ବିଜେପି ଘୋଷଣା କରିବ ନିର୍ବାଚନୀ ଇସ୍ତାହାର । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କରିବେ ଉନ୍ମୋଚନ । କ’ଣ ରହିଛି ପ୍ରତିଶ୍ରୁତି?

168

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଆଜି ଅପରାହ୍ନରେ ଭୁବନେଶ୍ୱରରେ ପହଞ୍ଚିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଭୁବନେଶ୍ୱରରେ ପହଞ୍ଚବା ପରେ ରାଜ୍ୟ ବିଜେପିର ନିର୍ବାଚନୀ ଇସ୍ତାହାର ଜାରି କରିବା କାର୍ଯ୍ୟକ୍ରମ ରହିଛି । ମହିଳାଙ୍କୁ ମାସିକ ୧ ହଜାର ଟଂକା ସହ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରତିଶ୍ରୁତି ଦେଇପାରେ ଦଳ । ଏହା ଉପରେ ଏବେ ସମସ୍ତଙ୍କ ନଜର ରହିଛି ।

ଜେପି ନଡ୍ଡା ଅପରାହ୍ନ ୩ଟାରେ ଭୁବନେଶ୍ୱରରେ ପହଞ୍ଚିବେ । ବିମାନ ବନ୍ଦରରୁ ଏକ ବିଶାଳ ଶୋଭାଯାତ୍ରାରେ ଯିବେ ନଡ୍ଡା । ଅପରାହ୍ନ ୩ଟା ୩୦ରେ ବିଜେପି ସଂକଳ୍ପ ପତ୍ରକୁ ଲୋକାର୍ପଣ କରିବେ । ଏହା ପରେ ଦଳୀୟ ପଦାଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ପଶ୍ଚିମବଙ୍ଗ ଭଳି ଏଥର ଓଡ଼ିଶା ଉପରେ ଫୋକସ କରିଛି ବିଜେପି । କେନ୍ଦ୍ରୀୟ ନେତାମାନେ ଘନ ଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି । ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଗତକାଲିଠାରୁ ଆସି ଓଡ଼ିଶାରେ ଅଛନ୍ତି । ଆଜି ତାଙ୍କର କଟକ ଓ ସମ୍ବଲପୁରରେ କାର୍ଯ୍ୟକ୍ରମ ରହିଛି । ଏହାରି ଭିତରେ ମୋଦୀ ଏବଂ ନଡ୍ଡାଙ୍କ ଗସ୍ତ ବିଜେପି କର୍ମୀଙ୍କୁ ଉତ୍ସାହିତ କରିଛି । ବିଶେଷ କରି ଦକ୍ଷିଣ ଓଡ଼ିଶା ଉପରେ ବିଜେପି ଫୋକସ କରିଛି । ତେବେ କଣ ରହିବ ମୋଦୀଙ୍କ ଆଭିମୁଖ୍ୟ ତା ଉପରେ ସମସ୍ତଙ୍କ ନଜର ରହିଛି ।