ଯୁବକଙ୍କ ଅଜବ ପ୍ରେମ ପାଗଳାମୀ … ପତ୍ନୀଙ୍କ ବଡ ଭଉଣୀ ପ୍ରେମ ନିବେଦନ ସ୍ୱୀକାର ନକରିବାରୁ ଗାଡି ଚଢାଇ ହତ୍ୟା ଉଦ୍ୟମ ।

901

କନକ ବ୍ୟୁରୋ: ଏକତରଫା ପ୍ରେମର ନାରକୀୟ କାଣ୍ଡ । ପତ୍ନୀଙ୍କ ବଡ ଭଉଣୀ ପ୍ରେମ ନିବେଦନ ସ୍ୱୀକାର ନକରିବାରୁ ଗାଡି ଚଢାଇ ହତ୍ୟା ଉଦ୍ୟମ । ରାଜଧାନୀ ସ୍ଥିତ ପଟିଆ ଅଞ୍ଚଳରେ ଏଭଳି ଏକ ଘଟଣା ଘଟିଛି । ତେବେ ଅଳ୍ପକେ ବର୍ତ୍ତିଯାଇଛନ୍ତି ମହିଳା । ଅଭିଯୁକ୍ତ ଅକ୍ଷୟ ବେହେରାକୁ ଇନଫୋସିଟି ପୋଲିସ ଗିରଫ କରି କୋର୍ଟ ଚାଲଣ କରିଛି ।

ମହିଳା ଜଣଙ୍କ ବିବାହ କରିଛନ୍ତି । ତେଣୁ ସେ ଅକ୍ଷୟଙ୍କ ପ୍ରେମ ନିବେଦନ ସ୍ୱୀକାର କରିନଥିଲେ । ଏଥିରେ ଉତକ୍ଷିପ୍ତ ହୋଇଯାଇଥିଲେ ଅକ୍ଷୟ । ଏପରିକି ଏହାକୁ ନେଇ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା । ଗତକାଲି ସଂଧ୍ୟାରେ ମହିଳା ଜଣଙ୍କ ସ୍କୁଟିରେ ଯାଉଥିଲେ । ଏହି ସମୟରେ ଅକ୍ଷୟ ପିକଅପ୍ ଚଳାଇ ଆସିଥିଲେ ଏବଂ ଯୁବତୀ ଚଳାଉଥିବା ସ୍କୁଟିକୁ ଜୋରରେ ଧକ୍କା ଦେଇଥିଲେ । ପୀଡିତା ଜଣଙ୍କ ପଡିଯାଇଥିଲେ । ହେଲେ ସ୍କୁଟିକୁ ୫୦୦ ମିଟର ଘୋଷାଡି ନେଇଯାଇଥିଲେ ଅକ୍ଷୟ । ସ୍ଥାନୀୟ ଲୋକେ ଅକ୍ଷୟକୁ ପିଛା କରି କାବୁ କରିଥିଲେ । ମହିଳାଙ୍କ ହାତ ଭାଙ୍ଗିଯାଇଥିବା ବେଳେ ସ୍କୁଟି ନଷ୍ଟ ହୋଇଯାଇଛି । ପୋଲିସ ଏବେ ଏହି ମାମଲାର ତଦନ୍ତ ଜାରି ରଖିଛି ।