ସାବଧାନ! ୟୁପିଆଇ ଏସଏମଏସ୍ ପଠାଇ ଲୋକଙ୍କୁ ଲୁଟିବାର ନୂଆ ତରିକା । ଜାଲ ବିଛାଇଛନ୍ତି ସାଇବର ଠକ

123

କନକ ବ୍ୟୁରୋ : ଯେତେବେଳେ ମୁଁ ଅଫିସ କାମରେ ବ୍ୟସ୍ତ ଥିଲି, ସେତେବେଳେ ମୋ ପାଖକୁ ଜଣେ ବୃଦ୍ଧ ବ୍ୟକ୍ତିଙ୍କ କଲ୍ ଆସିଲା । କଲରେ ବୃଦ୍ଧ ବ୍ୟକ୍ତି ଜଣକ କହିଲେ, ଝିଅ ଆଦିତି… ତୁମ ବାପାଙ୍କ ଆକାଉଣ୍ଟକୁ ପଇସା ପଠାଉଥିଲି, କିନ୍ତୁ ପଇସା ଟ୍ରାନ୍ସଫର ହୋଇପାରୁନି । ମୁଁ ତୁମ ନମ୍ବରକୁ ପଇସା ପଠାଇ ଦେଉଛି । ତୁମ ନମ୍ବର ଥରେ ଚେକ୍ କରିନିଅ । ମୁଁ ସେହି ବୃଦ୍ଧ ବ୍ୟକ୍ତିଙ୍କୁ ମୋ ନମ୍ବର ଦେବା ମାତ୍ରେ ଫୋନକୁ ଏକ ଏସଏମଏସ୍ ଆସିଲା । ବ୍ୟାଙ୍କ ଖାତାକୁ ଟଙ୍କା କ୍ରେଡିଟ୍ ହେଲେ ଯେପରି ଏସଏମଏସ୍ ଆସେ ଅବିକଳ ସମାନ ମେସେଜ୍ ମୋ ଫୋନକୁ ଆସିଗଲା । ପ୍ରଥମେ ୧୦,୦୦୦ ଟଙ୍କା କ୍ରେଡିଟ୍ ହୋଇଥିବା ମେସେଜ୍ ଆସିଲା ପରେ ପୁଣି ୩୦,୦୦୦ ଟଙ୍କା କ୍ରିଡିଟ୍ ହୋଇଥିବା ମେସେଜ୍ ଆସିଲା । ଏହା ପରେ ସେହି ବୃଦ୍ଧ ବ୍ୟକ୍ତି ଜଣକ ପୁଣି ଫୋନ କଲେ ଆଉ କହିଲେ, ଝିଅ ଆଦିତି… ମୁଁ ତୁମ ବାପାଙ୍କୁ ୩୦୦୦ଟଙ୍କା ପଠାଇବାର ଥିଲା । କିନ୍ତୁ ଭଲବସତଃ ୩୦,୦୦୦ ଟଙ୍କା ପଠାଇଦେଇଛି । ତେଣୁ ତୁରନ୍ତ ମୋର ବାକି ଟଙ୍କା ଫେରସ୍ତ କରିଦିଅ । ମୁଁ ମେଡିକାଲ ଆସିଛି । ତେଣୁ ତୁରନ୍ତ ଟଙ୍କା ଫେରସ୍ତ କରିଦିଅ । ବାରମ୍ବାର କଲ କରିବାରୁ ମୋ ମନରେ ସନ୍ଦେହ ସୃଷ୍ଟି ହେଲା ଆଉ ମୁଁ ବ୍ୟାଙ୍କ ଆକାଉଣ୍ଟ ଚେକ୍ କରି ସେହି ନମ୍ବରକୁ କଲ କଲାବେଳକୁ ମୋ ନମ୍ବରକୁ ବ୍ଲକ୍ କରିଦିଆଯାଇଥିଲା ।

ଏହି କୌଣସି କାହାଣୀ ନୁହେଁ ଆଦିତି ଚୋପ୍ରା ନାମକ ଜଣେ ମହିଳାଙ୍କ ପାଖକୁ ସାଇବର ଠକଙ୍କ ଏପରି କଲ୍ ଆସିଥିଲା । ସାଇବର ଠକ ଲୋକଙ୍କୁ ଲୁଟିବାର ଏକ ନୂଆ ତରିକା ଆପଣାଇଛନ୍ତି । ଏହିପରି ଭାବରେ କଲ୍ ଏବଂ ମେସେଜ୍ କରି ଲୋକଙ୍କୁ ଚୁନା ଲଗାଉଛନ୍ତି । ତେଣୁ ଯଦି ଆପଣଙ୍କ ପାଖକୁ ବି ଏପରି କଲ୍ କିମ୍ବା ମେସେଜ୍ ଆସୁଛି ତେବେ ସତର୍କତାର ସହ କାମ କରିବା ଉଚିତ୍ ।