ବିଜେପି ଫୋକସରେ ଓଡ଼ିଶା । ଆସନ୍ତା ୮ରେ ରାଜନାଥ ଓ ୧୨ରେ ଅମିତ ଶାହ ଆସିବେ ଓଡ଼ିଶା, ୧୦ ଓ ୧୧ ତାରିଖରେ ପ୍ରଚାରର ମଙ୍ଗ ଧରିବେ ପ୍ରଧାନମନ୍ତ୍ରୀ ମୋଦୀ ।

368

କନକ ବ୍ୟୁରୋ : ଆଗାମୀ ମାସେ ସରଗରମ ରହିବ ଓଡ଼ିଶା ରାଜନୀତି । ଶେଷ ୪ଟି ପର୍ଯ୍ୟାୟରେ ଓଡ଼ିଶାରେ ନିର୍ବାଚନ ହେବାକୁ ଥିବା ବେଳେ ଓଡ଼ିଶାରେ ଡେରା ପକାଇବେ ମାଳ ମାଳ କେନ୍ଦ୍ରୀୟ ନେତା । ଖାସକରି ବିଜେପିର କେନ୍ଦ୍ରୀୟ ନେତା ଏବେ ଓଡ଼ିଶା ଉପରେ ଫୋକସ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଓ ରାଷ୍ଟ୍ରୀୟ ସଭାପତି ଆଜି ଓଡ଼ିଶା ଆସୁଥିବା ବେଳେ ଆସନ୍ତା ୮ ତାରିଖରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରଚାର ପାଇଁ ଓଡ଼ିଶା ଆସିବେ । ରାଜନାଥ ସିଂ ରାୟଗଡାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ସେହିଭଳି ଗୃହମନ୍ତ୍ରୀ ଅମିତ ଶାହ ଆସନ୍ତା ୧୨ ତାରିଖରେ ପୁଣିଥରେ ଓଡ଼ିଶା ଗସ୍ତରେ ଆସୁଛନ୍ତି । କିଛି ଦିନ ପୂର୍ବରୁ ବ୍ରହ୍ମପୁରକୁ ଆସି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ ଅମିତ ଶାହ । ବିଜେଡି ସରକାରକୁ ଉପାଡି ଫିଙ୍ଗିବାକୁ କର୍ମୀଙ୍କୁ ଆହ୍ୱାନ ଦେଇଥିଲେ । ତେଣୁ ଆଗାମୀ କିଛି ଦିନ ଓଡ଼ିଶାରେ ପ୍ରଚାର ମୈଦାନ ସରଗରମ ରହିବ ।

ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨ ଦିନିଆ ଓଡ଼ିଶା ଗସ୍ତରେ ଆଜି ଆସିବେ । ଆଜି ରାତିରେ ପହଞ୍ଚିବା ପରେ ଆସନ୍ତାକାଲି ଭୁବନେଶ୍ୱରରେ ରୋଡ ସୋ’ କରିବା ସହ ବିଭିନ୍ନ ପ୍ରଚାର ସଭାରେ ସାମିଲ ହେବେ । ସେହିଭଳି ଆସନ୍ତା ୧୦ ଓ ୧୧ ତାରିଖରେ ମଧ୍ୟ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । କେନ୍ଦ୍ରୀୟ ନେତୃତ୍ୱଙ୍କ ଘନଘନ ଓଡ଼ିଶା ଗସ୍ତ କାରଣରୁ ଏବେ ଦଳୀୟ କର୍ମୀ ବେଶ ଉତ୍ସାହିତ ଅଛନ୍ତି ।