କୁନୋ ଜାତୀୟ ଉଦ୍ୟାନରୁ ବାହାରି ଗାଁରେ ପଶିଲା ନାମ୍ବିଆରୁ ଆସିଥିବା ଚିତା: ଜଙ୍ଗଲକୁ ଫେରାଇ ଆଣିବାକୁ ଚାଲିଛି ଉଦ୍ୟମ

238

କନକ ବ୍ୟୁରୋ: କୁନୋ ଜାତୀୟ ଉଦ୍ୟାନରୁ ବାହାରି ପାଖ ଗାଁରେ ପଶିଲା ଚିତା । ହଠାତ ଚିତା ଗାଁରେ ପ୍ରବେଶ କରିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଏହି ଚିତାର ନାଁ ଓବାନ୍ ବୋଲି କୁହାଯାଉଛି, ଯାହାକୁ ସେପ୍ଟେମ୍ବର ୨୦୨୨ରେ ନାମ୍ବିଆରୁ ଭାରତକୁ ଅଣାଯାଇଥିଲା । ଫେବ୍ରୁଆରି ମାସରେ, ଏହି ଚିତାଗୁଡିକୁ ବଡ଼ ଏନକ୍ଲୋଜରରୁ ବାହାର କରି ଜଙ୍ଗଲକୁ ଛାଡି ଦିଆଯାଇଥିଲା । ଏବେ ଜଙ୍ଗଲରୁ ଚିତାଟି ଗାଁକୁ ଚାଲିଯାଇଥିବା ଜଣାପଡ଼ିଛି । ଚିତାକୁ ଘଉଡାଇବା ପାଇଁ ଗ୍ରାମବାସୀ ଲାଠି ଧରି ଜଗିଥିବା ବେଳେ ବନବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚି ‌ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି ।

କୁନୋ ଜାତୀୟ ଉଦ୍ୟାନର ଡିଏଫଓ ପ୍ରକାଶ ବର୍ମା କହିଛନ୍ତି ଯେ ଚିତାକୁ ଜଙ୍ଗଲକୁ ଫେରାଇ ଆଣିବାକୁ ଉଦ୍ୟମ ଚାଲିଛି । ବନ ବିଭାଗ ଦଳ ଚିତାବାଘ ଉପରେ ନଜର ରଖିଛନ୍ତି । ଉଦ୍ଧାର କାର୍ୟ୍ୟ ସମୟରେ ଚିତାକୁ ବିରକ୍ତ କରାଯାଇପାରିବେ ନାହିଁ। ଧୀରେ ଧୀରେ ତାକୁ କୁନୋ ପାର୍କକୁ ଆଣିବା ପାଇଁ ଉଦ୍ୟମ କରାଯାଉଛି । ସନ୍ଧ୍ୟା ସୁଦ୍ଧା ଏହି ଚିତା କୁନୋ ପାର୍କରେ ପହଞ୍ଚିବ । ଚିତାବାଘ ଓ ନାଗରିକଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଉଛି । ତେବେ ମାର୍ଚ୍ଚ ୨୯ରେ ୪ଛୁଆଙ୍କୁ ଜନ୍ମ ଦେଇଥିଲା ଚିତାବାଘ ସିୟାୟା । ଏନେଇ ପରିବେଶ ମନ୍ତ୍ରୀ ଭୂପେନ୍ଦର ଯାଦବ ଟୁଇଟ୍ କରି ସୂଚନା ଦେଇଥିଲେ ।