୫୦୮ଟି ଷ୍ଟେସନର ହେବ ଆଧୁନିକୀକରଣ । ନବକଳେବର ପାଇଁ ପ୍ରଧାନମନ୍ତ୍ରୀ ମୋଦୀ କଲେ ଶିଳାନ୍ୟାସ । ଓଡିଶାରୁ ରହିଛି ୨୫ଟି ଷ୍ଟେସନ ।

251

କନକ ବ୍ୟୁରୋ: ରେଳ ଷ୍ଟେସନ ଗୁଡ଼ିକର ନବକଳେବର ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶିଳାନ୍ୟାସ ସହ ଭାରତୀୟ ରେଳସେବାରେ ଯୋଡିହୋଇଛି ଏକ ନୂଆ ଅଧ୍ୟାୟ । ରେଳ ସେବାକୁ ଅତ୍ୟାଧୁନିକ ସୁବିଧା ସହ ଯୋଡ଼ିବା ଲକ୍ଷ୍ୟରେ ବଡ଼ ପଦକ୍ଷେପ ନେଇଛନ୍ତି ନରେନ୍ଦ୍ର ମୋଦୀଙ୍କ ସରକାର । ୨୫ ହଜାର କୋଟି ଟଙ୍କା ନିିବେଶରେ ୫୦୮ଟି ଷ୍ଟେସନର ହେବ ଆଧୁନିକୀକରଣ । ଏଥିରେ ରହିଛି ଓଡ଼ିଶାର ୨୫ଟି ଷ୍ଟେସନ୍ । ଏହି ପୁନର୍ବିକାଶ କାର୍ଯ୍ୟକୁ ୨ ବର୍ଷ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଅମୃତ ଭାରତ ଷ୍ଟେସନ୍ ଯୋଜନାରେ ରେଳ ଷ୍ଟେସନ୍ଗୁଡ଼ିକର ରୁପାନ୍ତରଣ କରାଯିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି-ଅତ୍ୟାଧୁନିକ ସୁବିଧା ଯୋଗୁଁ ପର୍ଯ୍ୟଟକଙ୍କ ସଂଖ୍ୟା ବଢିବ । ଗତ ୯ ବର୍ଷରେ ରେଲୱେରେ ରେକର୍ଡ ସଂଖ୍ୟକ ନିବେଶ ହୋଇଛି । କେନ୍ଦ୍ର ସରକାର ଉତର-ପୂର୍ବରେ ନିବେଶ ପାଇଁ ଗୁରୁତ୍ୱ ଦେଉଛନ୍ତି ବୋଲି ମୋଦୀ କହିଛନ୍ତି ।

ଏହି ଯୋଜନା ଅନୁସାରେ ଷ୍ଟେସନ୍ ଗୁଡ଼ିକରେ ସିଟି ସେଂଟର, ରୁଫ୍ ପ୍ଲାଜା ଫୁଡ୍ କୋର୍ଟ ସୁବିଧା ରହିବ । ଯାତ୍ରୀଙ୍କ ପାଇଁ ଅଲଗା ଅଲଗା ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର, ମଲ୍ଟି ଲେବଲ୍ ପାର୍କିଂ, ଲିଫ୍ଟ,, ଏସ୍କାଲେଟର, ପାର୍କିଂ ଏରିଆ ଆଦିକୁ ବିକଶିତ କରାଯିବ । ଦେଶର ମୋଟ ୧୩ଶହ ଷ୍ଟେସନ୍ ମଧ୍ୟରୁ ୫୦୮ ଷ୍ଟେସନର ପୁନର୍ବିକାଶ କରାଯିବ । ପର୍ଯ୍ୟାୟକ୍ରମେ ଏହି ଷ୍ଟେସନ୍ ଗୁଡ଼ିକରେ ମାଗଣା ଇଂଟରନେଟ୍ ସେବା ଯୋଗାଇ ଦିଆଯିବ । ଦେଶର ପର୍ଯ୍ୟଟକ, ରେଳ ସେବାର ଅଧୁନିକୀକରଣ ଏବଂ ଦେଶର ବିକାଶକୁ ଲକ୍ଷ୍ୟରେ ଏହି ଏଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

ଖୋର୍ଦ୍ଧା ଜିଲ୍ଳାର ଖୋର୍ଦ୍ଧା ଜଙ୍କସନ୍, ଲିଙ୍ଗରାଜ ରୋଡ୍ ଏବଂ ମଞ୍ଚେଶ୍ୱର ଷ୍ଟେସନ୍ ଏହି ଆଧୁନିକୀକରଣ ତାଲିକାରେ ରହିଛି । ଏହି ଅବସରରେ ଭୁବନେଶ୍ୱରର ଲିଙ୍ଗରାଜ ଷ୍ଟେସନରେ ହୋଇଥିବା କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ପଣ୍ଡା ଏବଂ ସାଂସଦ ଅପରାଜିତା ଷଡ଼ଙ୍ଗୀ ପମୁଖ ସାମିଲ ହୋଇଥିଲେ । ସେହିପରି ହୀରାକୁଦ ଷ୍ଟେସନର ଆଧୁନିକୀକରଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତେବେ ଭିଡିଓ କନଫରେନସିଂ ଜରିଆରେ ପ୍ରଧାନମନ୍ତ୍ରୀ, ପ୍ରକଳ୍ପର ଶିଳାନ୍ୟାସ କରିଥିବା ବେଳେ ଦେଶର ବିଭିନ୍ନ ଷ୍ଟେସନରେ କାର୍ଯ୍ୟକ୍ରମ ସବୁ ଆୟୋଜନ କରାଯାଇଥିଲା ।