ବୁଥ୍ ବାହୁଡା ମତକୁ ନେଇ ସରଗରମ ରାଜନୀତି । ବିଜେପି କହୁଛି ୫ ରାଜ୍ୟରେ ଗଢିବ ସରକାର । କଂଗ୍ରେସ କହିଲା ୪ ରାଜ୍ୟରେ ମିଳିବ ବହୁମତ

85

କନକ ବ୍ୟୁରୋ : ବୁଥ ବାହୁଡା ମତ କହୁଛି, ଛତିଶଗଡରେ କଂଗ୍ରେସ ପୁଣି କ୍ଷମତାକୁ ଫେରିବ, କିନ୍ତୁ ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ରାଜନୀତି ଜଟିଳ ହେବ । ତେଲେଙ୍ଗାନାରେ ବିଆରଏସ ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ହେବ । କାରଣ ବିଭିନ୍ନ ଗଣମାଧ୍ୟମର ଏଗଜିଟ୍ ପୋଲ ରିପୋର୍ଟ କାହାକୁ ପୂର୍ଣ୍ଣ ବହୁମତ ଦେଇନାହାନ୍ତି । ତେବେ ସ୍ୱାଧୀନ ଓ ଛୋଟ ଛୋଟ ଦଳର ନିର୍ବାଚିତ ପ୍ରତିନିଧି ସରକାର ଗଢ଼ିବାରେ କିଙ୍ଗମେକର ଭୂମିକା ନେଇପାରନ୍ତି । ତେବେ ବିଜେପି ଓ କଂଗ୍ରେସ ଦଳ ନେତା ସେମାନଙ୍କ ଦଳ ସରକାର ଗଢ଼ିବ ବୋଲି ଦୃଢ଼ୋକ୍ତି କରିଛନ୍ତି ।

ପାଂଚଟି ରାଜ୍ୟର ଫଳାଫଳ ସହ ଓଡିଶା ରାଜନୀତିର କୌଣସି ସିଧାସଳଖ ସମ୍ପର୍କ ନାହିଁ । କିନ୍ତୁ ଯେତେବେଳେ ଏହି ନିର୍ବାଚନର ଫଳାଫଳ ଜାତୀୟ ରାଜନୀତିକୁ ପ୍ରଭାବିତ କରିବ ବୋଲି କୁହାଯାଉଛି, ସେତେବେଳେ ଏହାର ପରୋକ୍ଷ ପ୍ରଭାବ ଓଡିଶା ଉପରେ ମଧ୍ୟ ପଡିବାର ଯଥେଷ୍ଟ ସମ୍ଭାବନା ରହିଛି । କାରଣ, ରାଜ୍ୟରେ ଦୁର୍ବଳ ହୋଇପଡିଥିବା କଂଗ୍ରେସ ଦଳ ନିର୍ବାଚନରେ ଭଲ ପ୍ରଦର୍ଶନ କଲେ ଆଗକୁ ଓଡିଶା ଉପରେ ଫୋକସ କରିପାରେ । ସେହିପରି ବିଜେପି ମଧ୍ୟ ଓଡିଶା ପାଇଁ ନୂଆ ରଣନୀତି କରିପାରେ । ତେବେ ଓଡିଶା ଉପରେ ଏସବୁ କିଛି ପ୍ରଭାବ ପଡିବ ନାହିଁ ବୋଲି କହିଛନ୍ତି ବିଜେଡି ବିଧାୟକ ।

ତେବେ ଏବେ ଅପେକ୍ଷା ଆସନ୍ତା ତିନି ତାରିଖକୁ । ପାଂଚ ରାଜ୍ୟର ଜନାଦେଶରୁ ସ୍ପଷ୍ଟ ହେବ କଣ ଚାହୁଁଛନ୍ତି ଦେଶର ଜନତା । ବେକାରୀ ସମସ୍ୟା, ଦରଦାମ ବୃଦ୍ଧି ଭଳି ପ୍ରସଙ୍ଗକୁ ଭୋଟର ଗୁରୁତ୍ୱ ଦେଉଛନ୍ତି ନା ମୋଦୀଙ୍କ ନୀତିକୁ ପସନ୍ଦ କରୁଛନ୍ତି ।