ଘୁଗୁନି ପାଇଁ ବିଭତ୍ସ ହତ୍ୟା! ୨୪ ଦିନ ପରେ ବନ୍ଧା ହେଲା ଅଭିଯୁକ୍ତ

523

କନକ ବ୍ୟୁରୋ : ଘୁଗୁନିକୁ ନେଇ ଜଣେ ମହିଳାଙ୍କୁ ହତ୍ୟା ଘଟଣା ରାଜଧାନୀରେ ଚାଂଚଲ୍ୟ ଖେଳାଇ ଦେଇଛି । ଘୁଗୁନି ଖାଇବାକୁ ନେଇ ଜଣେ ଗ୍ରାହକଙ୍କ ସହ ବଚସା ହେବାରୁ ଗ୍ରାହକ ଜଣକ ଦୋକାନୀକୁ ଛୁରି ମାରି ହତ୍ୟା କରିଛି । ହତ୍ୟା କରି ଫେରାର ହୋଇଥିବା ଅଭିଯୁକ୍ତକୁ ୨୪ ଦିନ ପରେ ଗିରଫ କରିଛି ପୁଲିସ । ଆଉ ସାମ୍ନାକୁ ଆସିଛି ଚାଂଚଲ୍ୟକର ତଥ୍ୟ ।

ଗତ ନଭେମ୍ବର ୫ ତାରିଖ, ସକାଳେ ମିଥୁନ ଗୋଠପାଟଣାରେ ଥିବା ସସ୍ମିତା ବେହେରାଙ୍କ ଜଳଖିଆ ଦୋକାନକୁ ଖାଇବା ପାଇଁ ଯାଇଥିଲା । ଖାଉଥିବା ସମୟରେ ସସ୍ମିତାଙ୍କୁ ବାରମ୍ବାର ଘୁଗୁନି ମାଗିଥିଲା । ଅଧିକ ଥର ଘୁଗୁନି ମାଗିବାରୁ ଉଭୟଙ୍କ ମଧ୍ୟରେ ବଚସା ଓ କଥା କଟାକଟି ହୋଇଥିଲା । ପରବର୍ତୀ ସମୟରେ ମିଥୁନ ଦୋକାନରୁ ପଳାଇ ଆସିଥିଲା । ପୁଣି ୬ ତାରିଖ ଦିନ ସନ୍ଧ୍ୟା ବେଳେ ସେହି ସମାନ ଜଳଖିଆ ଦୋକାନକୁ ଯାଇଥିଲା ମିଥୁନ । ପୂର୍ବ ଦିନର ରାଗ ସୁଝାଇବାକୁ ଯାଇ ମିଥୁନ, ସ୍ୱାମୀଙ୍କ ଅନୁପସ୍ଥିତିରେ ସସ୍ମିତାଙ୍କୁ ଛୁରୀରେ ଆକ୍ରମଣ କରି ଫେରାର ହୋଇଯାଇଥିଲା   ।

ଏହି ଘଟଣା ଚନ୍ଦକା ଅଂଚଳରେ ଚାଂଚଲ୍ୟ ଖେଳିଯାଇଥିଲା । ସେତେବେଳେ ତୁରନ୍ତ ସସ୍ମିତାଙ୍କୁ ମେଡିକାଲରେ ଭର୍ତି କରାଯାଇଥିବା ବେଳେ ୭ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ମାମଲାର ତଦନ୍ତ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ତିନୋଟି ଟିମ ଗଠନ କରାଯାଇଥିଲା । ଚନ୍ଦକା ଥାନା ପୋଲିସ ଓ ସ୍ପେଶାଲ ସ୍କ୍ୱାଡ୍ର ସ୍ୱତନ୍ତ୍ର ଟିମ ଘଟଣାର ତଦନ୍ତ କରି ଫେରାର ମୁଖ୍ୟ ଅଭିଯୁକ୍ତ ମିଥୁନ ଜେନାକୁ ଗିରଫ କରିଛି । ମିଥୁନକୁ ଘଟଣାସ୍ଥଳକୁ ନେଇ ସିନ ରିକ୍ରିଏଟ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ଛୁରିକୁ ମଧ୍ୟ ଜବତ କରିଛି ପୋଲିସ ।
ହେଲେ ପୁଲିସର ଥିଓରୀକୁ ନେଇ ଉଠୁଛି ସନ୍ଦେହ
ସାମାନ୍ୟ ଘୁଗୁନି ପାଇଁ ଜଣଙ୍କୁ ହତ୍ୟା କରାଯାଇପାରେ କି?
ହତ୍ୟା ପଛରେ ଘୁଗୁନି ନା ରହିଛି ଆଉ କିଛି କାରଣ?