ଆଜିଠୁ ଭାରତରେ ଆରମ୍ଭ ହେବ ୫-ଜି ସେବା । ଭାରତୀୟ ଟେକ୍ନୋଲୋଜି କ୍ଷେତ୍ରରେ ଯୋଡ଼ିହେବ ନୂଆ ଅଧ୍ୟାୟ, ୫-ଜିରେ ବୃଦ୍ଧି ପାଇବ ଶକ୍ତି, ସ୍ପେକ୍ଟ୍ରମ ଓ ନେଟୱର୍କ ଦକ୍ଷତା ।

103

କନକ ବ୍ୟୁରୋ : ଭାରତୀୟ ଟେକ୍ନୋଲୋଜି କ୍ଷେତ୍ରରେ ଯୋଡ଼ିହେବ ନୂଆ ଅଧ୍ୟାୟ । ଆଜି ଠାରୁ ଭାରତରେ ଆରମ୍ଭ ହେବାକୁ ଯାଉଛି ଫାଇଭ-ଜି ସେବା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ଏହି ସେବାର ଶୁଭାରମ୍ଭ କରିବେ । ଦିଲ୍ଲୀର ପ୍ରଗତି ମଇଦାନରେ ଇଣ୍ଡିଆ ମୋବାଇଲ୍ କଂଗ୍ରେସ କାର୍ଯ୍ୟକ୍ରମରେ ମୋଦୀ ୫ଜି ସେବାର ଶୁଭାରମ୍ଭ କରିବେ । ତିନି ପ୍ରମୁଖ ଟେଲିକମ ଅପରେଟର୍ ପ୍ରଧାନମନ୍ତ୍ରୀଙ୍କ ଆଗରେ ୫-ଜି ଜ୍ଞାନକୌଶଳର ଉପସ୍ଥାପନ କରିବେ । ଏହି ଅବସରରେ ରିଲାଏନ୍ସ ଜିଓର ମୁକେଶ ଅମ୍ବାନୀ, ଏୟାରଟେଲର ସୁନୀଲ ମିତଲ ଓ ଭୋଡାଫୋନ୍-ଆଇଡିଆର କୁମାର ମଙ୍ଗଳମ ଉପସ୍ଥିତ ରହିବେ ।

ପ୍ରଧାନମନ୍ତ୍ରୀ ବଛାବଛା ସହରରେ ୫-ଜି ସେବାର ଶୁଭାରମ୍ଭ କରିବେ ଏବଂ ଆଗାମୀ କିଛି ବର୍ଷ ମଧ୍ୟରେ ଧୀରେ ଧୀରେ ଏହାକୁ ସମଗ୍ର ଦେଶରେ ବିସ୍ତାର କରାଯିବ । ୪-ଜି ତୁଳନାରେ ୫-ଜି ନେଟୱର୍କ ବହୁମାତ୍୍ରାରେ ଦ୍ରୁତ । ୫-ଜି ନିରବଚ୍ଛିନ୍ନ ସଂଯୋଗ ପ୍ରଦାନ କରିଥାଏ ଏବଂ କୋଟି କୋଟି ଡିଭାଇସକୁ ରିଅଲ୍ ଟାଇମରେ ତଥ୍ୟ ବାଂଟିବାରେ ସହାୟକ କରିଥାଏ । ୫-ଜି ଦ୍ୱାରା ନୂଆ ଆର୍ଥିକ ସୁଯୋଗ ଓ ସାମାଜିକ ଲାଭ ମିଳିପାରିବ, ଯାହା ଭାରତୀୟ ସମାଜ ପାଇଁ ପରିବର୍ତନକାରୀ ଶକ୍ତି ହେବାର କ୍ଷମତା ରଖିଛି ।

ପଞ୍ଚମ ପିଢି ଅର୍ଥାତ ୫-ଜି ସେବା ଜରିଆରେ ମାତ୍ର କିଛି ସେକେଣ୍ଡ ଭିତରେ ଲମ୍ବା ଭିଡିଓ ଓ ଫିଲ୍ମକୁ ଡାଉନଲୋଡ୍ କରାଯାଇପାରିବ । ରିଲାଏନ୍ସ ଜିଓ ଚଳିତ ବର୍ଷ ଦୀପାବଳି ସୁଦ୍ଧା ଦେଶର ପ୍ରମୁଖ ସହର ଗୁଡ଼ିକରେ ୫ଜି ଜିଓ ଫୋନ୍ ଲଞ୍ଚ କରିବ ବୋଲି ନିକଟରେ ମୁକେଶ ଅମ୍ବାନୀ କହିଥିଲେ । କମ୍ପାନୀ ପ୍ରଥମେ ୧୩ଟି ସହରରେ ୫-ଜି ସେବା ଆରମ୍ଭ କରିବ ବୋଲି ସୂଚନା ଦେଇଥିଲା । ଦେଶରେ ଟେଲିକମ ସ୍ପେକ୍ଟ୍ରମ ନିଲାମୀରେ ସର୍ବାଧିକ ଦେଢ଼ ଲକ୍ଷ କୋଟି ଟଙ୍କାର ରେକର୍ଡ ନିଲାମ ହୋଇଥିଲା । ଏଥିରେ ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଜିଓ ୮୭ହଜାର ୯୪୬ ଦଶମିକ ୯୩ କୋଟି ଟଙ୍କାରେ ବିକ୍ରି ହୋଇଥିଲା ।

ଭାରତର ସବୁଠାରୁ ଧନୀ ବ୍ୟକ୍ତି ଗୌତମ ଅଦାନୀଙ୍କ ଗ୍ରୁପ ୪୦୦ ମେଗାହର୍ଜ ପାଇଁ ୨୧୧ ଦଶମିକ ୮୬ କୋଟି ଟଙ୍କାର ବିଡ୍ ଲଗାଇଥିଲେ । ସୁନୀଲ ମିତଲ ୪୩ହଜାର ୩୯ ଦଶମିକ ୬୩ କୋଟି ଟଙ୍କାରେ ସ୍ପେକ୍ଟ୍ରମ କିଣିଥିବା ବେଳେ ଭୋଡାଫୋନ-ଆଇଡିଆ ୧୮ହଜାର ୭୮୬ ଦଶମିକ ୨୫ କୋଟି ଟଙ୍କାରେ ସେକ୍ଟ୍ରମ କିଣିଥିଲେ ।