ଆଜି ମା’ଙ୍କ ମହାଷଷ୍ଠୀ ପୂଜା । ଆକର୍ଷଣୀୟ ତୋରଣ ସାଙ୍ଗକୁ ସୁନା, ଚାନ୍ଦିରେ ଝଟକିବେ ମା’, ଜମିବ ପୂଜା ମଣ୍ଡପରେ ଭିଡ ।

82

କନକ ବ୍ୟୁରୋ : ଆଜି ମା’ଙ୍କର ଷଷ୍ଠୀ ପୂଜା । ପରମ୍ପରା ଅନୁଯାୟୀ, ଷଷ୍ଠୀରେ ମା’ଙ୍କର ବେଲବରଣୀ ପୂଜା କରାଯାଇଥାଏ । ଅର୍ଥାତ ବେଲ ଗଛ ନିକଟରେ ପୂଜା କରାଯାଇ ଘଟ ଆସି ମଣ୍ଡପରେ ରଖାଯିବ । ବେଲ ଗଛରେ ମା’ ସରସ୍ୱତୀ, ମା’ କାଳୀ, ମା’ ଲକ୍ଷ୍ମୀ ବିରାଜମାନ କରିଥାନ୍ତି ବୋଲି ବିଶ୍ୱାସ ରହିଛି । ତେବେ କିଛି ପୂଜା ମଣ୍ଡପରେ ଏହି ନୀତି ସକାଳେ ସମ୍ପନ୍ନ ହେବାକୁ ଥିବା ବେଳେ କିଛି ସନ୍ଧ୍ୟାରେ ମଧ୍ୟ କରାଯିବ ।

ରବିବାର ମହାସପ୍ତମୀରେ ମା’ଙ୍କର ଚକ୍ଷୁଦାନ ହେବ । ଏହା ପରେ ସୋମବାର ଦିନ ମହାଅଷ୍ଟମୀରେ ସନ୍ଧିପୂଜା ସହ ବିଭିନ୍ନ ମଣ୍ଡପରେ ହଜାର ହଜାର ଭକ୍ତଙ୍କ ପାଇଁ ପ୍ରସାଦ ସେବନ କରାଯିବାର ବ୍ୟବସ୍ଥା ରହିଛି । ମଙ୍ଗଳବାର ମହାନବମୀ ପୂଜା ଥିବା ବେଳେ ବୁଧବାର ବିଜୟ ଦଶମୀ ପଡୁଛି । ଦୁଇବର୍ଷ କରୋନା କଟକଣା ହଟିଥିବାରୁ ଆଜି ଠାରୁ ପୂଜା ମଣ୍ଡପରେ ଦେଖିବାକୁ ମିଳିବ ଭିଡ଼ । ରାଜଧାନୀର ବିଭିନ୍ନ ମଣ୍ଡପରେ ଆକର୍ଷଣୀୟ ତୋରଣ ମନ ମୋହିବ । ସେହିପରି କଟକରେ ସୁନା, ଚାନ୍ଦିରେ ଝଟକିବେ ମା’ । ତେବେ ଭିଡ଼ ନିୟନ୍ତ୍ରଣ ପାଇଁ ଟୁଇନ ସିଟିରେ ଟ୍ରାଫିକ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।