ହାତୀ ଆକ୍ରମଣରେ ଗଲା ୪ ଜଣଙ୍କ ଜୀବନ: ଅନଗୁଳ ଜିଲ୍ଲାପାଳଙ୍କ ଅଫିସ ଘେରିଲେ ଲୋକେ

234

କନକ ବ୍ୟୁରୋ: ବନ ବିଭାଗର ଅବହେଳାରୁ ଅନଗୁଳରେ ଜଙ୍ଗଲୀ ହାତୀ ଗୋଡାଇ ଗୋଡାଇ ୪ ଜଣଙ୍କୁ ଦଳି ଦେଇଛି । ଏଭଳି ଅଭିଯୋଗ ଆଣି ମୃତଦେହକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ରଖି ବିକ୍ଷୋଭ କରିଛନ୍ତି ଉତ୍ୟକ୍ତ ଗ୍ରାମବାସୀ ।

ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ସହ ବନବିଭାଗ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ଗାଁ ଲୋକଙ୍କୁ ବୁଝାସୁଝା କରି ମୃତକଙ୍କ ପରିବାରକୁ ୪ଲକ୍ଷ ୬୫ ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି ।

ଶନିବାର ସକାଳୁ ସକାଳୁ ହାତୀ ଆକ୍ରମଣରେ ଚାରି ଜଣଙ୍କ ମୃତ୍ୟୁ ଖବର ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି । ମୃତକଙ୍କ ଘରେ କାନ୍ଦ ବୋବାଲି ପଡିଛି । ବନ ବିଭାଗର ଉଦାସୀନତାରୁ ଘଟିଥିବା ଏହି ଅଘଟଣକୁ କେହି ଗ୍ରହଣ କରିପାରୁ ନାହାନ୍ତି । ଛେଲିଆପଡା ଗାଁରର ୬୦ ବର୍ଷ ବୟସ୍କ ସୁବାସ ବିଶ୍ୱାଳ, ବାରସିଙ୍ଗାର ୪୮ ବର୍ଷିୟ ରମେଶ ସ୍ୱାଇଁ , ଅଙ୍ଗାରବନ୍ଧ ଗାଁର ୫୪ ବର୍ଷ ବୟସ୍କ ଅନିରୋଧ ସାହୁ ଓ ସନ୍ତାରୀ ଗାଁର ଅଜୟ ସାମଲଙ୍କ ହାତୀ ଗୋଡେଇ ଗୋଡେଇ ଦଳି ଦେଇଛି । କିଏ ଶୌଚ ପାଇଁ ତ କିଏ ଚାଷ କାମ ପାଇଁ ବାହାରକୁ ବାହାରି ହାତୀ ହାବୁଡରେ ପଡିଥିଲେ । ଖବର ପାଇ ବନବିଭାଗ ଅଧିକାରୀ ଘଟଣସ୍ଥଳରେ ପହଂଚିବା ପରେ ଉତ୍ୟକ୍ତ ଲୋକଙ୍କ ଆକ୍ରୋଶର ଶିକାର ହେବାକୁ ପଡିଛି ।

ପ୍ରାୟ ଦୁଇ ମାସ ହେଲା ଅନୁଗୁଳରେ ଆତଙ୍କ ଖେଳାଇଛନ୍ତି ୩୦ ଟିକିଆ ହାତୀପଲ । ହେଲେ ଶନିବାର ଏକ ମାଇ ହାତୀ ଗୋଠଛଡା ଏହି ଅଘଟଣ ଘଟାଇଥିବା ଜଣା ପଡିଛି । ଗୋଠଛଡା ହାତୀ ସାମ୍ନାରେ ଯାହାକୁ ପାଇଲା ତାକୁ ଦଳି ଦେଇ ଢେଙ୍କାନାଳ ଜଙ୍ଗଳକୁ ପଲାଇଥିବା ଜଣାପଡିଛି ।