ଆନ୍ଦୋଳନକୁ ଓହ୍ଲାଇଲେ ଅବସରପ୍ରାପ୍ତ ସୈନିକ: ସଂରକ୍ଷିତ ଜମି ଦେବାକୁ ଭୁବନେଶ୍ୱରରେ ଦାବି

153

କନକ ବ୍ୟୁରୋ: ନିଜ ହକ୍ ପାଇଁ ଆନ୍ଦୋଳନ କରୁଛନ୍ତି ଅବସରପ୍ରାପ୍ତ ସୈନିକ । ସରକାର ଏ ଯାଏଁ ଜମି ଯୋଗାଇଦେଇନଥିବାରୁ ଭେଳି ପରିସ୍ଥିତି ସୃଷ୍ଟି ହୋଇଛି । ସଂରକ୍ଷିତ ଜମିକୁ ଅବସରପ୍ରାପ୍ତ ସୈନିକମାନଙ୍କୁ ପୁନର୍ବାର ପ୍ରଦାନ କରିବା ଦାବିରେ ଭୁବନେଶ୍ୱରରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଏହି ଦେଶର ବୀର ।
ହାତରେ ଜାତୀୟ ପତାକା, ଛାତିରେ ମେଡାଲ । ଅବସରପ୍ରାପ୍ତ ସୈନିକଙ୍କ ବନ୍ଦେ ମାତରମର ସ୍ୱର । ଦେଶ ମାତୃକା ପାଇଁ ନିଜ ଜୀବନକୁ ବାଜି ଲଗାଇବାକୁ ପଛେଇ ନଥିବା ସୈନିକ ଏବେ ନିଜ ହକ ପାଇଁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ଆନ୍ଦୋଳନର ଏହି ଭିଡ ଭିତରେ ଅଛନ୍ତି ମୋତିଲାଲ ପ୍ରଧାନ । କାରଗିଲ ଯୁଦ୍ଧରେ ବି ସାମିଲ ହୋଇଥିଲେ ମୋତିଲାଲ । ଅବସର ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିଥିଲା ଜମି । କିନ୍ତୁ ପରବର୍ତୀ ସମୟରେ ସ୍ଥାନୀୟ ପ୍ରଶାସନ କହିଲେ ଏହି ଜମିରେ ତାଙ୍କର ଅଧିକାର ନାହିଁ । ତେଣୁ ନିଜ ହକ ପାଇଁ ରାଜଧାନୀରେ ଆନ୍ଦୋଳନ କରୁଛନ୍ତି ।

ଲଦାଖର ବରଫଘେରା ପାହାଡରେ କାର୍ଯ୍ୟରତ ଥିଲେ ଶଶାଙ୍କ ଶେଖର ସାମଲ । ଭାରତ ମାତାର ସୁରକ୍ଷା ପାଇଁ ଜାଗ୍ରତ ପ୍ରହରୀ ହୋଇ ନିଜର କର୍ତବ୍ୟ ତୁଲାଉଥିଲେ । କିନ୍ତୁ କିଏ ବା ଜାଣିଥିଲା ସଭିଙ୍କୁ ପର କରି ସେ ଚାଲିଯିବେ ଆରପାରିକୁ । ୨୦୨୧ ଫେବୃଆରୀ ୧୮ରେ ସେ ସହିଦ ହୋଇଥିଲେ । ପତ୍ନୀ ସସ୍ମିତା ସାମଲଙ୍କୁ ସେନା ମେଡାଲ ବି ପ୍ରଦାନ କରାଗଲା । ରାଜ୍ୟ ସରକାର ୫ ଲକ୍ଷ ଟଙ୍କା ଦେବାକୁ ଘୋଷଣା ବି କଲେ । କିନ୍ତୁ ବିଡମ୍ବନାର କଥା ଏହି ୫ ଲକ୍ଷ ମିଳିବାକୁ ଲାଗିଗଲା ୩ ବର୍ଷ । ସରକାରଙ୍କ ପକ୍ଷରୁ ସସ୍ମିତାଙ୍କୁ ଜମି ଯୋଗାଇ ଦିଆଯାଉ ବୋଲି ସେ ଦାବି କରିଛନ୍ତି ।

ଦେଶର ସୁରକ୍ଷା ପାଇଁ ସୀମାରେ ମୁତୟନ ସୈନିକ ଅବସର ନେବା ପରେ ରାଜ୍ୟ ସରକାର ସେମାନଙ୍କୁ ଜମି ଯୋଗାଇ ଦେବାର ବ୍ୟବସ୍ଥା ରହିଛି । ଏଥିପାଇଁ ପ୍ରତ୍ୟେକ ଜିଲ୍ଲାରେ ସଂରକ୍ଷିତ ଜମିର ବ୍ୟବସ୍ଥା ବି କରାଯାଇଛି । କିନ୍ତୁ ୨୦୧୪ ପରଠାରୁ ଏହି ବ୍ୟବସ୍ଥାରେ ଲାଗିଛି ବିରାମ । ତେଣୁ ଏହି ସଂରକ୍ଷିତ ଜମିକୁ ଅବସରପ୍ରାପ୍ତ ସୈନିକମାନଙ୍କୁ ପୁନର୍ବାର ପ୍ରଦାନ କରିବା ଦାବିରେ ଭୁବନେଶ୍ୱର ଲୋୟର ପିଏମଜିରେ ଆନ୍ଦୋଳନ କରିଛନ୍ତି ।