ଏବେ ପର୍ଯ୍ୟନ୍ତ ୨୩୩ ମୃତ୍ୟୁ । କନ୍ଦାଉଛି ବାହାନଗା ଟ୍ରେନ ଦୁର୍ଘଟଣା, ସାରା ରାଜ୍ୟରେ ଦିନିକିଆ ଶୋକ ପାଳନ ଘୋଷଣା ।

4,174

କନକ ବ୍ୟୁରୋ : ରାତି ପାହି ଦିନ ହେଲା, ମୃତ୍ୟୁ ସଂଖ୍ୟା ବଢିଲା । ବାହାନଗା ଟ୍ରେନ ଟ୍ରାଜେଡିରେ ଏବେ ପର୍ଯ୍ୟନ୍ତ ୨୩୩ ଜଣଙ୍କର ମୃତ୍ୟୁ ହେଲାଣି । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଆଗକୁ ଆହୁରି ମୃତ୍ୟୁସଂଖ୍ୟା ବଢିପାରେ ବୋଲି କହିଛନ୍ତି ପ୍ରଦୀପ ଜେନା । ସକାଳୁ ସକାଳୁ ଉଦ୍ଧାର କାର୍ଯ୍ୟ ଜୋରଦାର ହେବାକୁ ଥିବା ବେଳେ ଆହୁରି ଅନେକ ମୃତଦେହ ଉଦ୍ଧାର ହେବାର ଆଶଙ୍କା ରହିଛି । ଟ୍ରେନ ଦୁର୍ଘଟଣା ହେବା ପରେ ଗତକାଲି ରାତି ଠାରୁ ଏବେ ଯାଏଁ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ହସ୍ପିଟାଲରେ ଆହତଙ୍କୁ ଭର୍ତ୍ତି କରାଯାଉଥିବା ବେଳେ ମୃତକଙ୍କୁ ଗୋଟିଏ ସ୍ଥାନରେ ରଖାଯାଇଛି । କିଛି ଜଣଙ୍କ ମରଶରୀରର ପକେଟରୁ ମୋବାଇଲ ଫୋନ୍ ବାଜୁଥିବାର ଦେଖିବାକୁ ମିଳିଛି । କିନ୍ତୁ ପରିବାରବର୍ଗଙ୍କୁ ମୃତ୍ୟୁ ବାବଦରେ ସୂଚନା ମିଳୁଥିବାର ଦୁଃଖଦ ଖବର ଦେଖିବାକୁ ମିଳୁଛି ।

ଏସବୁ ଭିତରେ ସକାଳ ୮ଟାରେ ମୁଖ୍ୟମନ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି ସମୀକ୍ଷା କରିବେ । ଗତକାଲି ମୁଖ୍ୟମନ୍ତ୍ରୀ ଏହି ଦୁର୍ଘଟଣାକୁ ନେଇ କହିଥିଲେ ଯେ, ଆମ ପାଇଁ ଉଦ୍ଧାରକାର୍ଯ୍ୟ ସବୁଠୁ ବଡ ପ୍ରାଥମିକତା । ସେହିଭଳି ଏହି ଘଟଣାରେ ପାଖାପାଖି ୯୦୦ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ ୭ଟି ସ୍ପେଶାଲିଟି ହସ୍ପିଟାଲ ପ୍ରସ୍ତୁତ ରହିଛି । ଅନ୍ୟପଟେ ଆଜି ସାରା ରାଜ୍ୟରେ ଶୋକ ପାଳନ କରାଯିବ । ଦିନିକିଆ ଶୋକ ପାଳନ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।