ଜୁନ ମାସରେ ରାଜ୍ୟରେ ୨୨ ପ୍ରତିଶତ ନିଅଂଟିଆ ବର୍ଷା: ଜୁନ ୧ରୁ ଜୁଲାଇ ୫ ତାରିଖ ମଧ୍ୟରେ ସ୍ୱାଭାବିକ ତୁଳନାରେ ୩୧ ପ୍ରତିଶତ କମ୍ ବର୍ଷା

248

କନକ ବ୍ୟୁରୋ: ଆଷାଢ ଯାଇ ଶ୍ରାବଣ ଆସିଲା , କିନ୍ତୁ ବର୍ଷାର ଦେଖାନାହିଁ । ମୌସୁମୀ ଲୁଚକାଳି ଖେଳୁଥିବାରୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ଦୁର୍ବଳ ମୌସୁମୀ ଯୋଗୁଁ ବର୍ଷା ଦିନେ କାଁ ଭାଁ ବର୍ଷା ହେଉଛି । ଫଳରେ ଚାଷ କାମ ଠପ୍ ହୋଇଯାଇଛି । ଖରାରେ ତଳି ପୋଡି ନଷ୍ଟ ହୋଇଗଲାଣି । ତେବେ ଆସନ୍ତାକାଲି ଠାରୁ ବର୍ଷା ପରିମାଣ ବଢ଼ିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।

ଅକ୍ଷୟ ତୃତୀୟା ଠାରୁ ଅଖିମୁଠି ଅନୁକୂଳ ପରେ ମୌସୁମୀ ବର୍ଷାକୁ ଅନାଇ ବସିଛି ଚାଷୀ । ଆଷାଢ଼ ଯାଇ ଶ୍ରାବଣ ମାସ ଆସିଥିଲେ ମଧ୍ୟ ବର୍ଷାର ଦେଖାନାହିଁ । ମୌସୁମୀର ଲୁଚକାଳି ଖେଳ ଭିତରେ ଦୁଇ ଦୁଇଥର ଧାନ ବୁଣି ମୁଣ୍ଡରେ ହାତ ଦେଇ ବସିଛି ଚାଷୀ । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ, ଜଟଣୀ ଓ ଖୋର୍ଦ୍ଧା ବ୍ଲକର । ଶତକଡ଼ା ୮୦ ଭାଗ ଜମିରେ ବର୍ଷା ଅଭାବରୁ ଧାନ ବୁଣା କାମ ହୋଇପାରିନଥିବାରୁ ତଳିବୁଣା କାମ ମଧ୍ୟ ଠପ ହୋଇଯାଇଛି ।

ରାୟଗଡ଼ା ଜିଲ୍ଲାରେ ମଧ୍ୟ ସମାନ ଅବସ୍ଥା । ଖରାରେ ତଳି ପୋଡି ନଷ୍ଟ ହୋଇଗଲାଣି । ଗୋଟିଏ ପଟେ ବର୍ଷାର ଦେଖା ନାହିଁ, ଅନ୍ୟପଟେ ପ୍ରଚଣ୍ଡ ଖରା ଯୋଗ୍ୁଁ ନାଗାବଳି ନଦୀ ଶୁଖିଲା ପଡ଼ିଛି । ଗତ ମାସର ସାମାନ୍ୟ ବର୍ଷା ହୋଇଥିବା ବେଳେ ଚାଷୀ ମାନେ କ୍ଷେତରେ ହଳ କରି ତଳି ପାଇଁ ଧାନ ବୁଣିଥିଲେ । ହେଲେ ପାଣି ଅଭାବରୁ କ୍ଷେତ ଫାଟି ଗଲାଣି ।

ଏପଟେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ସମୁଦ୍ରରୁ ଉପକୂଳ ଆଡ଼କୁ ଆସୁଛି ମେଘ । ଫଳରେ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ଆଜି ବର୍ଷା ହୋଇଛି । ମୌସୁମୀ ସ୍ୱାଭାବିକ ହେବ ଓ ଆସନ୍ତାକାଲି ଠାରୁ ବର୍ଷା ପରିମାଣ ବଢ଼ିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।

୬ ତାରିଖ ସକାଳୁ ୭ ତାରିଖ ସକାଳ ପର୍ଯ୍ୟନ୍ତ
ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ବରଗଡ଼, ସମ୍ବଲପୁର
ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷର୍ା ହେବା ସମ୍ଭାବନା ରହିଛି

ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଦେବଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଂଜ, ଢେଙ୍କାନାଳ, ଯାଜପୁର ଓ କଟକ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୭ ତାରିଖ ସକାଳୁ ୮ ତାରିଖ ସକାଳ ପର୍ଯ୍ୟନ୍ତ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଯାଜପୁର ଓ କଟକ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବୃଷ୍ଟିପାତ ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।