ଅର୍ଥାଭାବ ଦୂର କରିବାକୁ ଦମ୍ପତ୍ତିଙ୍କ ନୃଶଂସ କାଣ୍ଡ, ଦୁଇ ମହିଳାଙ୍କୁ ଚଢାଇ ଦେଲେ ବଳି

144

କନକ ବ୍ୟୁରୋ : ଏବେ ବି ଅନ୍ଧ ବିଶ୍ୱାସର ଅନ୍ଧାର ଗଳି ଭିତରେ ଝୁଣ୍ଟୁଛି ମଣିଷ । ଧର୍ମ ଜାତି ଓ ଆସ୍ଥା ଆଗରେ ହାର ମାନୁଛି ଶିକ୍ଷା, ବିଜ୍ଞାନ ଓ ବିକାଶ । ଦେଶର ସବୁଠାରୁ ଶିକ୍ଷିତ ରାଜ୍ୟ କୁହାଯାଉଥିବା କେରଳରୁ ଆସିଛି ଆପଣଙ୍କ ଛାତି ଥରାଇଦେବା ଭଳି ଘଟଣା । ରାଜ୍ୟର ପଥାନାମାଥିଟ୍ଟା ଜିଲ୍ଲାର ତିରୁବଲ୍ଲା ଗାଁରୁ ଆସିଛି ବଳିଦେବା ଭଳି ନୃଶଂସ ଘଟଣା । ଏଠାରେ ଦୁଇଜଣ ମହିଳାଙ୍କୁ ଅନ୍ୟ ଏକ ପରିବାରର ସ୍ୱାମୀ ସ୍ତ୍ରୀ ମିଶି ହତ୍ୟା କରିଛନ୍ତି । ଏନେଇ ଆଜି ପୋଲିସ ତରଫରୁ ସୂଚନା ମିଳିଛି । କୋଚି ସହରର ପୋଲିସ କମିଶନର ସି.ଏଚ୍ ନାଗାରାଜୁଙ୍କ ସୂଚନା ମୁତାବକ ଦୁଇଜଣ ମହିଳାଙ୍କୁ ହତ୍ୟା କରି ପୋତି ଦିଆଯାଇଛି । ଏହି ଦୁଇଜଣ ମହିଳାଙ୍କ ହତ୍ୟା ପଛରେ ମାନବ ବଳି ଭଳି ଘୃଣ୍ୟ ମାନସିକତା ରହିଥିବା କଥା ପୋଲିସ ସନ୍ଦେହ କରିଛି ।

ସେପଟେ ନାଗାରାଜୁ ଆହୁରି କହିଛନ୍ତି କି, ଏହି ମହିଳା ଦୁଇଜଣ ଗତମାସରେ ନିଖୋଜ ହୋଇଯାଇଥିଲେ । ଏବେ ସେମାନଙ୍କ ଶବ ମଳିବା ପରେ ତାହାକୁ ଫରେନସିକ ଲ୍ୟାବକୁ ପଠାଯିବା ନେଇ ସେ କହିଛନ୍ତି । ସେପଟେ ଅଭିଯୁକ୍ତ ସ୍ୱାମୀ ସ୍ତ୍ରୀଙ୍କୁ ପଚରା ଉଚରା ବେଳେ ସେମାନେ ମାନିଛନ୍ତି ଯେ, ତାଙ୍କ ପରିବାର ଆର୍ଥିକ ଅନାଟନ ଭିତରେ କାଳାତିପାତ କରୁଥିଲେ । ଏଥିରୁ ମୁକ୍ତି ପାଇବା ପାଇଁ ସେମାନେ ମାନବ ବଳି ଦେଇଛନ୍ତି । ଅଭିଯୁକ୍ତ ମହିଳା ଜଣଙ୍କ ନିଜ ଘରେ ଏକ ମାସାଜ ପାର୍ଲର ଚଳାଉଛନ୍ତି ।

ସୂଚନା ମୁତାବକ ପ୍ରଥମେ ଗତମାସ ଜଣେ ୫୦ ବର୍ଷିୟା ମହିଳା ନିଖୋଜ ହୋଇଥିବା ନେଇ ଏର୍ନାକୁଲମ ଥାନରେ ଅଭିଯୋଗ ହୋଇଥିଲା । ସେହି ଦିନ ଅନ୍ୟଜଣେ ମହିଳା ମଧ୍ୟ ନିଖୋଜ ହୋଇଥିବା ଖବର ମିଳିଥିଲା । ଏହି ମହିଳା ଦୁଇଜଣଙ୍କ ମୋବାଇଲ ନମ୍ବର ଯାଂଚ ବେଳେ ସେମାନଙ୍କ ଶେଷ କଲ ଶିହାବ ନାମକ ଜଣେ ବ୍ୟକ୍ତିଙ୍କୁ ଥିଲା । ଏହାପରେ ପୋଲିସ ଶିହାବଙ୍କୁ ଥାନାକୁ ଡାକି ପଚରା ଉଚରା କରିବା ପରେ ସବୁ ତଥ୍ୟ ହାସଲ ହୋଇଛି ।