ଦାରିଙ୍ଗିବାଡିରେ ଜାରି ରହିଛି ଶୀତ ଲହରି । ୨ଦିନ ଧରି ପ୍ରବଳ ଜାଡ ସହ ହେଉଛି ତୁଷାରପାତ

118

କନକ ବ୍ୟୁରୋ : ଗତ ରାତ୍ରରେ ଓଡ଼ିଶାର ୧୯ ସ୍ଥାନରେ ତାପମାତ୍ରା ୧୦ ଡିଗ୍ରି ତଳେ ଥିବା ଜଣାଯାଇଛି । ଦାରିଙ୍ଗିବାଡ଼ି ସବୁଠୁ ଥଣ୍ଡା ସହର ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏଠାକାର ତାପମାତ୍ର ଥିଲା ୩.୫ ଡିଗ୍ରି ସେଲସିଅସ୍ । ଅପରପକ୍ଷରେ କଟକରେ ୧୦.୧ ଓ ଭୁବନେଶ୍ୱରରେ ୧୦.୦ ଡିଗ୍ରି ସେଲସିଅସ୍ ତାପମାତ୍ରା ରେକର୍ଡ କରାଯାଇଛି ।

୧୦ ଡିଗ୍ରି ତଳେ ଥିବା ସହରଗୁଡ଼ିକ ହେଲା, ବାଲେଶ୍ବର ୯.୮, ଚାନ୍ଦବାଲି ୯.୨, ଅନୁଗୁଳ ୮.୬, ବାରିପଦା ୮,୫, ଝାରସୁଗୁଡ଼ା ୬.୪, ଦାରିଙ୍ଗବାଡ଼ି ୩.୫, କୋରାପୁଟ ୮.୫ , ସୁନ୍ଦରଗଡ଼ ୬.୫, ଫୁଲବାଣୀ ୪.୦, ଟିଟଲାଗଡ଼ ୬.୮, ଭବାନୀପାଟଣା ୬.୦, ସୋନପୁର ୮.୫, ବଲାଙ୍ଗୀର ୭.୮ ଡିଗ୍ରି, ନୟାଗଡ଼ ୯.୦, କେନ୍ଦୁଝର ୬.୨, ସମ୍ବଲପୁର ୮.୫, ବୌଦ୍ଧ ୭.୦, ହୀରାକୁଦ ୮,୬ ଓ ତାଳଚେର ୯.୦ ଡିଗ୍ରି ସେଲସିଅସ୍।

ସୂଚନାଯୋଗ୍ୟ,ଏ ବର୍ଷ ୧୫ ଦିନ ବିଳମ୍ବରେ ରାଜ୍ୟକୁ ଶୀତ ପ୍ରବେଶ କରିଛି। ଶୀତର ପ୍ରକୋପ ଓ ସମୟ ମଧ୍ୟ କମ୍ ଦିନ ରହିବ। ଆସନ୍ତା ୨ ଦିନ ରାଜ୍ୟର ପ୍ରାୟ ସ୍ଥାନରେ ତାପମାତ୍ରା ୧୨ ଡିଗ୍ରି କିମ୍ବା ତା’ ତଳେ ରହିବା ପରେ ୨୨ତାରିଖ ଆଡ଼କୁ ପାରଦ ଧୀରେ ଧୀରେ ଊର୍ଧ୍ବମୁଖା ହେବ। ୨୨ ତାରିଖ ପରେ ଶୀତ କମିଯିବ ଓ ଜାନୁଆରି, ଫେବ୍ରୁଆରିରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି।

ଗତ ୬ ଦିନ ହେଲା, ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେବା ସହ ଥଣ୍ଡା ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ରାଜ୍ୟକୁ କ୍ରମାଗ୍ରତ ଉତ୍ତର ଦିଗରୁ ପ୍ରବେଶ କରୁଥିବା ଥଣ୍ଡା ଓ ଶୁଷ୍କ ବାୟୁ ପ୍ରଭାବ ଗତକାଲି ରାତିରୁ ଅଧିକ ଶକ୍ତିଶାଳୀ ହୋଇଛି।