ତିତିଲି କ୍ଷତ ଭରିବେ କେନ୍ଦ୍ର ସରକାର । ୨ ମାସ ପରେ ଶୁଣିଲେ କେନ୍ଦ୍ର ସରକାର, ଓଡିଶାକୁ ମିଳିବ ୧୦୨୩ କୋଟି ଟଙ୍କା

197

କନକ ବ୍ୟୁରୋ : ତିତିଲି ପାଇଁ କେନ୍ଦ୍ରରୁ ମିଳିବ ୧୦୨୩.୫୯ କୋଟି ଟଙ୍କା । ତିତିଲି ପ୍ରଭାବିତ ଅଞ୍ଚଳ ଗୁଡିକରେ କ୍ଷୟକ୍ଷତିର ଭରଣା ପାଇଁ କେନ୍ଦ୍ରୀୟ ସହାୟତା ମଞ୍ଜୁର କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତି ନିଆଯାଇଛି । ଏନଡିଆରଏଫ୍ ପାଣ୍ଠିରୁ ଏହି ସହାୟତା ରାଶି ମିଳିବ ବୋଲି ସୂଚନା ଦେଇଛନ୍ତି ଧର୍ମେନ୍ଦ୍ର ।


ଗତ କିଛି ଦିନ ତଳେ ବାତ୍ୟା ତିତିଲି ପ୍ରଭାବିତଙ୍କ କ୍ଷତିପୂରଣ ପାଇଁ କେନ୍ଦ୍ରୀୟ ସହାୟତା ଯୋଗାଇ ଦେବାକୁ ଗୃହମନ୍ତ୍ରୀ ରାଜନାଥଙ୍କ ସହ ଆଲୋଚନା କରିଥିଲେ ଧର୍ମେନ୍ଦ୍ର ପ୍ରଧାନ । ଏହାପୂର୍ବରୁ ତିତିଲି କ୍ଷୟକ୍ଷତିର ଆକଳନ ପାଇଁ ପ୍ରଭାବିତ ଅଞ୍ଚଳ ବୁଲି ଦେଖିଥିଲେ ୮ ଜଣିଆ କେନ୍ଦ୍ରୀୟ ଟିମ୍ । ଆଉ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା ପରେ ଏନେଇ ସବିଶେଷ ରିପୋର୍ଟ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଦେଇଥିଲେ । ତେବେ ତିତିଲି ପ୍ରଭାବିତଙ୍କୁ ଥଇଥାନ କରିବା ପାଇଁ ସେ ସମୟରେ ରାଜ୍ୟ ସରକାର ତୁରନ୍ତ ୧ ହଜାର କୋଟି ଟଙ୍କାର ସହାୟତା ରାଶି ମାଗିଥିଲେ ।

କିନ୍ତୁ ସରକାରୀ ତଥ୍ୟ ଅନୁସାରେ ତିତଲି ପ୍ରଭାବରେ ରାଜ୍ୟରେ ପାଖାପାଖି ୭୭ ଜଣ ପ୍ରାଣ ହରାଇଥିବା ବେଳେ ୨୭୭୦ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି । ପୂର୍ବରୁ ତିତଲି ପ୍ରଭାବିତଙ୍କ ପାଇଁ ଅନେକ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯେଉଁଥିରେ ଗଜପତି, ଗଞ୍ଜାମ ଓ ରାୟଗଡ଼ା ଭଳି ଜିଲ୍ଳାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ରିପୋର୍ଟରୁ ଜଣାପଡ଼ିଥିଲା ।