ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ପ୍ରଶ୍ନ । କହିଲେ ୨୪ ବର୍ଷ ସରକାରରେ ଅଛି ବିଜେଡି, କିନ୍ତୁ କାହିଁକି ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ ବ୍ୟବସ୍ଥାରେ ରହିଛି ସମସ୍ୟା?
କନକ ବ୍ୟୁରୋ : ସାମ୍ବାଦିକ ସମ୍ମିଳନୀ କରି ବିଜେଡି ସରକାର ଉପରେ ବର୍ଷିଛନ୍ତି ବିଜେପିର ସମ୍ବଲପୁର ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ । ଶାସକ ଦଳକୁ ଟାର୍ଗେଟ କରି ଧର୍ମେନ୍ଦ୍ର କହିଛନ୍ତି, ଓଡ଼ିଶାରେ ନିର୍ବାଚନ ପ୍ରଚାରକୁ ହାଲୁକା ଭାବେ ନେଉଛି ବିଜେଡି । ନାଚଗୀତ, ମେଲୋଡି ଜରିଆରେ ପ୍ରଚାର କରୁଛନ୍ତି । ମୁଖ୍ୟମନ୍ତ୍ରୀ କେମିତି ପ୍ରଚାର କରୁଛନ୍ତି ତାହା ଓଡ଼ିଶାବାସୀ ଦେଖୁଛନ୍ତି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭିଡ଼ିଓରେ ଅଛନ୍ତି, ତାଙ୍କ ଗୁମାସ୍ତାଙ୍କ ପାଖରେ ରିମୋଟ ଅଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଗତକାଲି ପ୍ରଧାନମନ୍ତ୍ରୀ ଯେଉଁ ଟିପ୍ପଣୀ ଦେଇଥିଲେ ତାହାର ଉତ୍ତର ଯଦି ଜନସଭାରେ ମୁଖ୍ୟମନ୍ତ୍ରୀ ମଞ୍ଚ ଉପରେ ଦେଇଥାନ୍ତେ ତେବେ ଏହା ଭଲ ହୋଇଥାନ୍ତା । କିନ୍ତୁ ବିମାନ ଭିତରୁ ଦିବା ସ୍ୱପ୍ନ କଥା କହିବା ଶୋଭାଦେଲାନି । ୨୪ ବର୍ଷ ଓଡ଼ିଶାରେ ବିଜେଡି ସରକାର ଅଛି, କେନ୍ଦ୍ର ପର୍ଯ୍ୟାପ୍ତ ଅର୍ଥ ଦେଲେ ମଧ୍ୟ କାହିଁକି ଓଡ଼ିଶାର ଗାଁ ଗଣ୍ଡାରେ ପିଇବା ପାଣିର ସୁବିଧା ନାହିଁ । ମହାନଦୀ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ କାହିଁକି ଜଳସେଚନ ସୁବିଧା ନାହିଁ । ଓଡ଼ିଶାର ପିଲାମାନେ କାହିଁକି ଅଧାରୁ ପାଠ ଛାଡୁଛନ୍ତି । ସ୍କୁଲରେ କାହିଁକି ଶିକ୍ଷକ ନାହାନ୍ତି । ସରକାରୀ ହସ୍ପିଟାଲରେ ଡାକ୍ତର ଅଭାବ କାହିଁକି? ଦାଦନ କାହିଁକି ସ୍ଥାୟୀ ବ୍ୟବସ୍ଥା ପାଲଟିଛି? ତାହାର ଉତ୍ତର ନଦେଇ ମୁଖ୍ୟମନ୍ତ୍ରୀ ଦିବା ସ୍ୱପ୍ନର କଥା କହୁଛନ୍ତି । ତାହା ହେଲେ ୨୪ ବର୍ଷ ହେଲା ଓଡ଼ିଶା ଲୋକଙ୍କୁ ମୁଖ୍ୟମନ୍ତ୍ରୀ କେଉଁ ସ୍ୱପ୍ନ ଦେଖାଉଥିଲେ ।
ସମ୍ବଲପୁରରେ କାହିଁକି ବିଗତ ୧୦ ବର୍ଷ ହେବ ପୌରପାଳିକା ନିର୍ବାଚନ ହୋଇନାହିଁ? ଦୁର୍ନୀତି କରିବାକୁ ବିଜେଡି ଏମିତି କରୁଛି । ବିଜେପି ସରକାର ହେଲେ ଜୁନରେ ଚାଷୀଙ୍କୁ ୩ଟି ଫାଇଦା ମିଳିବ । ଧାନ କିଣିବାର ୪୮ ଘଣ୍ଟା ମଧ୍ୟରେ ଡିବିଟି ଜରିଆରେ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ଆସିବ । ଟୋକନ, କଟନି, ଛଟନି ବ୍ୟବସ୍ଥା ସମ୍ପୂର୍ଣ୍ଣ ବନ୍ଦ ରହିବ । ଛତିଶଗଡ ମଡେଲକୁ ଓଡ଼ିଶାରେ ଲାଗୁ କରିବୁ । ଧାନରେ ପ୍ରଥମଥର ଷ୍ଟେଟ ବୋନସ ଦିଆଯିବ ବୋଲି ଧର୍ମେନ୍ଦ୍ର କହିଛନ୍ତି ।
ଶାସକ ଦଳ ସରକାରୀ ଟଙ୍କାରେ ନିଜ କର୍ମୀଙ୍କୁ ବିଦେଶ ନେବାକୁ ଯୋଜନା କରିଥିଲା । ନିର୍ବାଚନ କମିଶନଙ୍କ ଦୃଷ୍ଟିଗୋଚର ଆସିବା ପରେ ଏହା ବନ୍ଦ କରାଗଲା । ବିଜେଡି ଏହାକୁ ନେଇ ଅପପ୍ରଚାର କଲା ଯେ, ବିଜେପି ମିଶନ ଶକ୍ତିକୁ ବନ୍ଦ କରିବାକୁ ଚାହୁଁଛି । ୨୫ ଲକ୍ଷ ଏସଏଚଜି ମହିଳାଙ୍କୁ ଲକ୍ଷପତି ଦିଦି କରାଯିବ ।