ଦମ ଥିଲେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରୁ ବିଜେପି, ୧୦% ଆସନ ବି ପାଇବନି । ଓଡ଼ିଶାକୁ ୨୫ ବର୍ଷ ପଛକୁ ନେବାକୁ ଚାହୁଁଛି ବିଜେପି । ପ୍ରଚାର ମୈଦାନରୁ ପାଣ୍ଡିଆନଙ୍କ ଟାର୍ଗେଟ ।

337

କନକ ବ୍ୟୁରୋ : ଖଲ୍ଲିକୋଟରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଧୂଆଁଧାର ପ୍ରଚାର କରିଛନ୍ତି ଭିକେ ପାଣ୍ଡିଆନ । ନବୀନ ସରକାରଙ୍କ ବିଭିନ୍ନ ଯୋଜନାର ହିସାବ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ପାଣ୍ଡିଆନ । ଶଙ୍ଖ ଚିହ୍ନରେ ଆଶୀର୍ବାଦ କରିବାକୁ ଅପିଲ କରିଛନ୍ତି ପାଣ୍ଡିଆନ ।

ପାଣ୍ଡିଆନ କହିଛନ୍ତି, ଯେହେତୁ ରାଣୀ ମା’ ଇହଧାମ ତ୍ୟାଗ କରିଛନ୍ତି ତେଣୁ ଖଲ୍ଲିକୋଟ ଉପରେ ସ୍ୱତନ୍ତ୍ର ନଜର ରଖିବାକୁ ନିଜେ କହିଛନ୍ତି ମୁଖ୍ୟମନ୍ତ୍ରୀ । କିଛି ଲୋକ ଭାବୁଛନ୍ତି, ନବୀନ ବାବୁ ଓଡ଼ିଶାବାସୀଙ୍କ ଆଶୀର୍ବାଦ ପାଇବେନି କି ମୁଖ୍ୟମନ୍ତ୍ରୀ ହେବେନି । ଏଭଳି କହି ବିଜେପି ନେତା ଦିନରେ ସ୍ୱପ୍ନ ଦେଖୁଛନ୍ତି । ବିଜେଡିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନବୀନ ପଟ୍ଟନାୟକ ଦୀର୍ଘ ୨୪ ବର୍ଷ ହେବ ଓଡ଼ିଶାବାସୀଙ୍କ ସେବା କରୁଛନ୍ତି, କିନ୍ତୁ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା କିଏ? ତାହାର ଉତ୍ତର ଦେଇପାରୁନାହାନ୍ତି ବିଜେପି ନେତା । ୧୦ ବର୍ଷ ହେଲା ଜଣେ କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ବିଜେପି ଦଳ ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବାକୁ ଡରୁଛି । ତାଙ୍କ ଉପରେ ଆସ୍ଥା, ବିଶ୍ୱାସ ନାହିଁ । ଯଦି ନିଜ ଦଳର ଉକ୍ତ କେନ୍ଦ୍ରମନ୍ତ୍ରୀଙ୍କ ଉପରେ ଆଶା ବିଶ୍ୱାସ ନାହିଁ ତାହେଲେ ଲୋକଙ୍କର ଆଶା ବିଶ୍ୱାସ କେଉଁଠୁ ଆସିବ? ୨୪ ବର୍ଷ ହେଲା ନବୀନ ମୁଖ୍ୟମନ୍ତ୍ରୀ ଅଛନ୍ତି, ଏବେ ଆମକୁ ସୁଯୋଗ ଦିଅନ୍ତୁ ବୋଲି ବିଜେପି ନେତା କହୁଛନ୍ତି । କିନ୍ତୁ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ଆଗ କୁହନ୍ତୁ ତାହା ପରେ ଓଡ଼ିଶାବାସୀ ତାଙ୍କ ଚେହେରା ଦେଖି ଆଶୀର୍ବାଦ ଦେବେ କି ନାହିଁ ଚିନ୍ତା କରିବେ । ଦମ ଥିଲେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରନ୍ତୁ, ୧୦% ଆସନ ମଧ୍ୟ ପାଇବେନି ବିଜେପି ।

ଜନସଭାରେ ପାଣ୍ଡିଆନ କହିଛନ୍ତି, ବିଜେପି ନେତୃତ୍ୱ କହିଲେ ୬ ତାରିଖରେ ମୁଖ୍ୟମନ୍ତ୍ରୀ ଚେହେରା ସ୍ଥିର କରିବେ । କିନ୍ତୁ ଭୁଲିଯିବା ଉଚିତ୍ ନୁହେଁ ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀ ବାଛିବେ, ହାଇକମାଣ୍ଡ ନୁହେଁ । ଦିଲ୍ଲୀରେ ବସିଥିବା ହାଇକମାଣ୍ଡ କେବେ ସ୍ଥିର କରିପାରିବେନି ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ ହେବ? ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦିଲ୍ଲୀର ହାଇକମାଣ୍ଡ ସ୍ଥିର କଲେ ଓଡ଼ିଶା ୨୦ ବର୍ଷ ପଛକୁ ଚାଲିଯିବ । ପୂର୍ବରୁ ଓଡ଼ିଶାରେ କଂଗ୍ରେସ ସରକାର ଥିଲା । ସେତେବେଳେ ସବୁ ନିଷ୍ପତ୍ତି ପାଇଁ କଂଗ୍ରେସର ମୁଖ୍ୟମନ୍ତ୍ରୀ କେନ୍ଦ୍ର ଉପରେ ନିର୍ଭର କରୁଥିଲେ । ମହାବାତ୍ୟା, ମରୁଡି ବେଳେ କେନ୍ଦ୍ରକୁ ପଚାରୁଥିଲେ କଣ କରିବେ । ତେଣୁ ସେଭଳି ସରକାର ଓଡ଼ିଶାବାସୀ ଚାହାନ୍ତିନି ବୋଲି କହିଛନ୍ତି ପାଣ୍ଡିଆନ । ଓଡ଼ିଶାକୁ ୨୫ ବର୍ଷ ପଛକୁ ନେବାକୁ ବିଜେପି ଷଡଯନ୍ତ୍ର କରୁଛି । ଦିଲ୍ଲୀରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ସ୍ଥିର କରାଗଲେ ସେମାନେ ଦିଲ୍ଲୀର ହାଇକମାଣ୍ଡ ପାଖରେ ଉତ୍ତରଦାୟୀ ରହିବେ । କିନ୍ତୁ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କ ପାଖରେ ଉତ୍ତରଦାୟୀ ରହିବେ । ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ସ୍ଥିର କରାଗଲେ ରିମୋଟ ଦିଲ୍ଲୀରେ ରହିବ, ଦିଲ୍ଲୀରେ ବସି ରିମୋଟ ଦ୍ୱାରା ଓଡ଼ିଶାକୁ ପରିଚାଳିତ କରିବେ । କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରିମୋଟ ସବୁବେଳେ ଓଡ଼ିଶାବାସୀଙ୍କ ହାତରେ ରହିଛି ।