ରାତିରେ ଚିଲିକା ମଝିରେ କାଳବୈଶାଖୀର ପ୍ରଭାବ : ଭାଙ୍ଗିଲା ୭ଟି ଡଙ୍ଗା, ଜଣେ ମତ୍ସ୍ୟଜୀବୀ ନିଖୋଜ

346

କନକ ବ୍ୟୁରୋ : ଚିଲିକା ମଝିରେ କାଳ ବୈଶାଖୀର ତାଣ୍ଡବ । ଚିଲିକାରେ ମତ୍ସ୍ୟଜୀବୀମାନେ ମାଛ ଧରି ଫେରୁଥିବା ବେଳେ କାଳବୈଶାଖୀର ପ୍ରଭାବର ଶିକାର ହୋଇଥିଲେ । ଚିଲିକା ମଝିରେ ଭାଙ୍ଗିଗଲା ୭ଟି ଡଙ୍ଗା । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ସରସ୍ୱତୀ ନଗର ଅଞ୍ଚଳରେ ମତ୍ସ୍ୟଜୀବୀମାନେ ଏହି ଡଙ୍ଗାରେ ଥିଲା । ତେବେ ସୌଭାଗ୍ୟବଶତଃ ମତ୍ସ୍ୟଜୀବୀମାନେ ବର୍ତ୍ତି ଯାଇଛନ୍ତି । ଜଣେ ମତ୍ସ୍ୟଜୀବୀ ନିଖୋଜ ଥିବାର ଖବର ମିଳିଛି । ଅନ୍ୟ ମତ୍ସ୍ୟଜୀବୀମାନେ ସୁରକ୍ଷିତ ଭାବେ କୂଳକୁ ଆସିଛନ୍ତି । ନିଖୋଜ ମତ୍ସ୍ୟଜୀବୀଙ୍କୁ ଖୋଜିବା କାମ ଜାରି ରହିିଛି ।

ସୂଚନାନୁସାରେ, ୧୩ଟି ନୌକାରେ ଶହେରୁ ଊର୍ଦ୍ଧ୍ବ ମତ୍ସ୍ୟଜୀବୀ ଚିଲିକାକୁ ମାଛ ଧରିବାକୁ ଯାଇଥିଲେ । ସେଠାରୁ ଫେରିବାବେଳକୁ ପ୍ରାୟ ସନ୍ଧ୍ୟା ୬ଟା ସମୟ । ସେତିକିବେଳେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବେଗରେ ପବନ ଓ ବର୍ଷା ଆରମ୍ଭ ହୋଇଯାଇଥିଲା । କଷ୍ଟେମଷ୍ଟେ ସେମାନେ ୧୨ଟି ନୌକାକୁ ୭ ନମ୍ବର କୁଦ କୂଳରେ ରଖିବାରେ ସକ୍ଷମ ହୋଇଥିଲେ। ପରବର୍ତ୍ତୀ ସମୟରେ କୁଦ କୂଳରେ ଥିବା ନୌକାଗୁଡ଼ିକ ମଧ୍ୟ ପବନ ମାଡ଼ରେ ଭାରସାମ୍ୟ ହରାଇ ଚିଲିକା ଜଳରେ ବୁଡ଼ି ଯାଇଥିଲେ ।

ଝଡ଼ବର୍ଷା ଥମିବା ପରେ ଚିଲିକା ମଧ୍ୟରେ ଓଲଟି ପଡ଼ିଥିବା ୧୩ ନମ୍ବର ଡଙ୍ଗାର ଗୁଣନିଧି ବେହେରା, ବନମାଳୀ ବେହେରା, ଧର୍ମରାଜ ବେହେରା, ସିଲୁ ବେହେରାଙ୍କୁ ଉଦ୍ଧାର ସାଥୀ ମତ୍ସ୍ୟଜୀବୀମାନେ ଉଦ୍ଧାର କରିଥିଲେ । ହେଲେ, ସେମାନଙ୍କ ସହ ଥିବା ମିଥୁନ ବେହେରାକୁ ଠାବ କରିପାରିନଥିଲେ। ଖବର ଲେଖାଯିବା ବେଳକୁ ଗାଁର ଅନ୍ୟ ମତ୍ସ୍ୟଜୀବୀଙ୍କ ସହ ମିଶି ନିଖୋଜ ମିଥୁନକୁ ଖୋଜିବା କାର୍ଯ୍ୟ ଜାରି ରହିଥିବା ଜଣାଯାଇଛି ।